ଦିନରେ ଝାଡୁ ବେପାର , ରାତିରେ ଘରୁ କଳାକନା ବୁଲାଇବା ମାମଲା : ୬ ଅଭିଯୁକ୍ତ ଗିରଫ , ସୁନା ରୂପା ଓ ଅଟୋ ଜବତ

0
4469

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ସମେତ ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ମାମଲା ବଢ଼ିବାରେ ନଜର ଆସୁଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଚୋରମାନେ ଦିନରେ ଝାଡୁ ବେପାର କରିବା ସଙ୍ଗେ ରାତିରେ ଘରୁ କଳାକନା ବୁଲାଇବା ମାମଲାରେ ଶନିବାର ପାଟପୁର ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିପାରିଛି । ଏଥିସହ ପୋଲିସ ସେମାନଙ୍କ ନିକଟରୁ ୭୦ ଗ୍ରାମ ସୁନା ଅଳଙ୍କାର , ଶହେ ଗ୍ରାମ ରୂପା ସମେତ ମୋବାଇଲ ଓ ଏକ ଅଟୋ ଜବତ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶେରଗଡ଼ ଥାନା ଧବଳପୁର ଗ୍ରାମର ହରି ଡାକୁଆ , କୁରେଶୁ ଡାକୁଆ , ଟୋପାଗୁଲୁ. ଟୁନା , ପାଟପୁର ଥାନା ଜୟନଗର ଗ୍ରାମର ଏସ୍ . ସାହେବ , ଏସ୍ . ବିକ୍ରମ ଏବଂ ଶେରଗଡ଼ ଅଞ୍ଚଳର ସୁନା ବ୍ୟବସାୟୀ ବି . ରମେଶ ପାତ୍ର । ଖବରନୁଯାୟୀ , ଗତ କିଛି ଦିନ ଧରି ଅଭିଯୁକ୍ତ ମାନେ ଦିନରେ ଭଦ୍ରବ୍ୟକ୍ତି ତଥା ଝାଡୁ ବେପାର ପାଇଁ ବିଭିନ୍ନ ଗ୍ରାମ ବୁଲାବୁଲି କରିବା ସହ ଘରକୁ ନଜର କରିଥାନ୍ତି । ତେବେ ଗତ ୧୩ ତାରିଖ ରାତିରେ ପୂର୍ବ ପ୍ଳାନ ଅନୁଯାୟୀ ଲୁଟେରା ମାନେ ହରି ଡାକୁଆଙ୍କ ଅଟୋ ( ଓଡି ୦୭ ସି ୦୪୯୩) ଯୋଗେ ପାଟପୁର ଥାନା କଂସାମାରୀ ଗ୍ରାମର ଜି . ରବିନ୍ଦ୍ର ଦୋରାଙ୍କ ଘରେ ପଶି ବହୁ ସୁନା ଅଳଙ୍କାର ଓ ରୂପା ଓ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ପରଦିନ ସକାଳୁ ରବିନ୍ଦ୍ର ପାଟପୁର ଥାନାରେ ଘରୁ କେହି ଦୁବୃର୍ତ୍ତ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୨୬୬/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇ ଆସୁଥିବା ବେଳେ ଆଜି ପାଟପୁର , ଶେରଗଡ଼ ଓ ବଡଗଡ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ଜେରା କରିବା ପରେ ପୋଲିସ ସମ୍ମୁଖରେ ଚୋରି କରିଥିବା ନେଇ ରାଜି ହୋଇଥିଲେ । ଏହାପରେ ସେମାନେ ଚୋରି କରି ନେଇଥିବା ସମସ୍ତ ଅଳଙ୍କାର ମଧ୍ୟରୁ ଗୋଟିଏ ସୁନା ନେକଲେସକୁ ଛାଡି ସବୁତକ ଅଳଙ୍କାର ବ୍ୟବସାୟୀ ରମେଶଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରି ଦେବାପରେ ସେହି ଟଙ୍କାକୁ ଭାଗବଣ୍ଟନ କରି ନେଇଥିବା ପୋଲିସ ଆଗରେ କହିଥିଲେ । ଏହାପରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ , ବଡଗଡ ଥାନା ଅଧିକାରୀ ସୁରଜ କୁମାର ଝଙ୍କାରଙ୍କ ଉପସ୍ଥିତିରେ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲ କହିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here