ରାତିରେ ଚାଲିଥିଲା ବେଆଇନ ଗଞ୍ଜେଇ ଚୋରାଚାଲାଣ : ୪ ବସ୍ତା ଗଞ୍ଜେଇ ଜବତ , ୧ ଗିରଫ

0
420

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲି କରୁଥିବା ସମୟରେ ପାସେଞ୍ଜର ଅଟୋ ଯୋଗେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ୪ ବସ୍ତା ଗଞ୍ଜେଇ ଏବଂ ଗାଡ଼ି ଜବତ କରିଥିବା ଜଣାପଡିଛି । ଗିରଫ ଯୁବକ ହେଲେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗୈାଡ ସାହିର ରବି ଗୈାଡ ବୋଲି ପୋଲିସ ସୂଚନା ଦେଇଛି । ଖବରନୁଯାୟୀ , ମଙ୍ଗଳବାର ବିଳମ୍ବିତ ରାତି ସାଢ଼େ ଗୋଟାଏ ସମୟରେ ଥାନା ଏସ୍ ଆଇ ମିଲନ୍ ପ୍ରଧାନ ଏବଂ ଅନ୍ୟ ଷ୍ଟାଫମାନେ ମିଶି ଜୁଆଣପାଲ୍ଲୀ ଏବଂ ଫାସିବନ୍ଧ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଅଭିଯୁକ୍ତ ଜଣକ ଏକ ପାସେଞ୍ଜର ଅଟୋ ( ଓଡି୦୭ ଏକେ ୬୮୧୭ ) ଯୋଗେ ବେଆଇନ ଗଞ୍ଜେଇ ଚୋରାଚାଲାଣ କରୁଥିଲା । ଏହି ସମୟରେ ପୋଲିସ ଉକ୍ତ ଗାଡ଼ିର ପିଛା କରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ସଠିକ ଯାଞ୍ଚ ପରେ ଗାଡ଼ିରେ ୪ ଟି ବସ୍ତାରେ ଗଞ୍ଜେଇ ରହିଥିବା ଜାଣି ପୋଲିସ ଅଭିଯୁକ୍ତକୁ ଅଟକ ରଖିଥିଲା । ତେବେ ଆଜି ଜବତ ଗଞ୍ଜେଇର ଓଜନ ମାପ କରାଯିବା ପରେ ସେଥିରେ ୧୨୪ କେଜି ୯୦୦ ଗ୍ରାମ ରହିଥିଲା । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରି ଥାନା ମାମଲା ନଂ ୧୮୭/୨୩ ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅପରପକ୍ଷରେ ଏଥିରେ ଅନ୍ୟ କୌଣସି ଅଭିଯୁକ୍ତ ସାମିଲ ଅଛନ୍ତି ତାହାକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here