ଭାରତ ଭ୍ରମଣରେ ପଦଯାତ୍ରାକାରୀ ମହୀଶୂରର ଯୁବକ କ୍ରିଷ୍ଣାଙ୍କୁ ଦିଗପହଣ୍ଡିରେ ବିପୁଳ ସମ୍ବର୍ଦ୍ଧନା

0
380

ଗଞ୍ଜାମ: ପରିବେଶ ସୁରକ୍ଷା ଓ ଯୋଗର ପ୍ରଚାର ପ୍ରସାର ବାର୍ତ୍ତା ନେଇ ଭାରତ ଭ୍ରମଣରେ ଗତ ଅକ୍ଟୋବର ୨୦୨୨ ରୁ ପଦଯାତ୍ରାରେ ବାହାରିଥିବା କର୍ଣ୍ଣାଟକ ମହୀଶୂରର ଯୁବକ କ୍ରିଷ୍ଣା ନାୟକଙ୍କୁ ଦିଗପହଣ୍ଡିରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଖବରନୁଯାୟୀ , କ୍ରିଷ୍ଣା ଗତ ବର୍ଷ କର୍ଣ୍ଣାଟକର ମହୀଶୂର ଠାରୁ ବାହାରି ପଦଯାତ୍ରା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଛତିଶଗଡ ରାଜ୍ୟର ବସ୍ତର ଜିଲ୍ଲା ଅତିକ୍ରମ କରି ଓଡ଼ିଶା ରାଜ୍ୟ ଅତିକ୍ରମ କରି ଗଜପତି ଜିଲ୍ଲା ଓ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଭ୍ରମଣ ପରେ ଆଜି ଦିଗପହଣ୍ଡି ଠାରେ ପହଞ୍ଚିଥିଲେ । ଅବାଧ ଗଛ କଟାକୁ ବିରୋଧ କରିବା ସହ ବ୍ୟାପକ ପରିମାଣରେ ବୃକ୍ଷାଚାରା ରୋପଣ ଓ ଜଳର ସଂରକ୍ଷଣ ସହ ଯୋଗ ଦ୍ୱାରା କିଭଳି ଶରୀର ସୁସ୍ଥ ସବଳ ରହିବ ସେହି ବାର୍ତ୍ତା ନେଇ ସେ ଭାରତ ଭ୍ରମଣ ପାଇଁ ପଦଯାତ୍ରାରେ ବାହାରିଥିବା କହିଛନ୍ତି । ପଦଯାତ୍ରା କାଳରେ ସେ ସମଗ୍ର ଭାରତ ବର୍ଷର ୨୯ ଟି ରାଜ୍ୟ ଅତିକ୍ରମ କରି ବିଶ୍ୱରେ ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନକୁ କିପରି ରୋକାଯାଇପାରିବ ଓ ପରିବେଶ ସୁରକ୍ଷିତ ରହିପାରିବ ସେ ବିଷୟରେ ଲୋକଙ୍କୁ ମହତ୍ ବାର୍ତ୍ତା ଦେବା ସହ ସୁସ୍ଥ ସୁନ୍ଦର ଭାରତ ଗଢ଼ିବା ପାଇଁ କିଛି ମାତ୍ରାରେ ଜନସାଧରଣଙ୍କୁ ସହଯୋଗ ହୋଇପାରିବ , ତାହା ହିଁ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ବୋଲି କ୍ରିଷ୍ଣା କହିଛନ୍ତି । ଅଦ୍ୟାବଧି ସେ ୫ ମାସ ପଦଯାତ୍ରା କରି ଛତିଶଗଡ଼ ରାଜ୍ୟ ଅତିକ୍ରମ କରି ଓଡ଼ିଶା ରାଜ୍ୟକୁ ପ୍ରବେଶ କରିଥିବା ବେଳେ ଗୁରୁବାର ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଠାରେ ରାତ୍ରି ଯାପନ କରି ଶୁକ୍ରବାର ସନ୍ଧ୍ୟା ରେ ଦିଗପହଣ୍ଡି ରେ ପହଞ୍ଚିଥିଲେ । ଖବରପାଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ସୋସିଆଲ ମିଡ଼ିଆ ପ୍ରମୁଖ ସୁନିଲ କୁମାର ଦୋରାଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଯୁବକ ପହଞ୍ଚି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସେ ଗୋକର୍ଣ୍ଣପୁର ଗ୍ରାମରେ ପହଞ୍ଚି ରାଷ୍ଟ୍ରୀୟ ସ୍ଵୟଂ ସେବକ ଶାଖା ର କର୍ମକର୍ତ୍ତା ଶିକ୍ଷକ ବାବୁଲା ଦୋରାଙ୍କ ଘରେ ରାତ୍ରି ଭୋଜନ କରି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ରାତ୍ରୀଯାପନ କରିବା ସହ ଶନିବାର ସକାଳୁ କିଛି ଛାତ୍ରୀଛାତ୍ରଙ୍କୁ ଯୋଗ ଶିକ୍ଷା ଦେଇଥିଲେ ଓ ଏହାପରେ ସେ ବ୍ରହ୍ମପୁର ଅଭିମୁଖେ ବାହାରି ଓଡ଼ିଶାର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ସେ ପଶ୍ଚିମବଙ୍ଗ ଯିବେ ବୋଲି ଜଣାଇଛନ୍ତି । ୧୫୪ ଦିନର ଯାତ୍ରା ମଧ୍ୟରେ କ୍ରିଷ୍ଣା ଦୀର୍ଘ ୪ ହଜାରରୁ ଅଧିକ କିଲୋମିଟର ପଦଯାତ୍ରା କରିଥିବାବେଳେ ୭ ଟି ରାଜ୍ୟ ଅତିକ୍ରମ କରିଥିବା କହିଛନ୍ତି। ଆହୁରି ୨୨ ଟି ରାଜ୍ୟରେ ପଦଯାତ୍ରା କରିବାକୁ ବାକି ଥିବାବେଳେ , ସମ୍ପୂର୍ଣ୍ଣ ଭାରତବର୍ଷକୁ ସେ ୨ବର୍ଷ ମଧ୍ୟରେ ଯାତ୍ରା କରି ସଚେତନତାର ବାର୍ତ୍ତା ଦେବେ ବୋଲି କହିଛନ୍ତି । ଦିଗପହଣ୍ଡି ଅଞ୍ଚଳବାସୀ କ୍ରିଷ୍ଣାଙ୍କ ଏହି ମହତ୍ ଉଦ୍ଦେଶ୍ୟକୁ ଭୁରି ଭୁରି ପ୍ରଶଂସା କରିବା ସହିତ କ୍ରିଷ୍ଣା ନାୟକଙ୍କୁ ତାଙ୍କ ଯାତ୍ରା ପାଇଁ ସାଧୁବାଦ ଜଣାଇଥିବା ଜଣାପଡିଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here