୧୫ ଦଫା ଦାବୀନେଇ ଅଧିକ୍ଷକଙ୍କୁ ଘେରାଉ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

0
201

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲରେ ଅକାଳ ମୃତ୍ୟୁହାରକୁ ରୋକିବାପାଇଁ ପ୍ରତି ବିଭାଗରେ ବରିଷ୍ଠ ଡାକ୍ତର ନିଯୁକ୍ତି,ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ,ବର୍ଣ୍ଣକେୟାର ୟୁନିଟ (ଜଳାପୋଡ଼ା ଚିକିତ୍ସା ବିଭାଗ )ସ୍ଥାପନ ଆଦି 15ଟି ପ୍ରମୁଖ ଦାବୀ ନେଇ ଦୀର୍ଘ ସମୟ ଏମକେସିଜି ମେଡିକାଲ ଅଧିକ୍ଷକ ଡା. ସନ୍ତୋଷ କୁମାର ମିଶ୍ରଙ୍କୁ ଘେରାଉ କରି ରଖିଲା ମାନବ ଅଧିକାର ସୁରକ୍ଷା ମଞ୍ଚ l ସୂଚନଯୋଗ୍ୟ ଯେ, ଦୀର୍ଘ ଦିନରୁ ନିୟମିତ ଭାବେ ଏମକେସିଜି ମେଡିକାଲରୁ ବରିଷ୍ଠ ଡାକ୍ତର ମାନଙ୍କୁ ଅନ୍ୟତ୍ର ବଦଳି ହେଉଛି ଅଥଚ ସେହି ଖାଲି ପଡୁଥିବା ପଦବୀ ପୂରଣ କରାଯାଉନାହିଁ l ଅନ୍ୟପକ୍ଷରେ ବରିଷ୍ଠ ଡାକ୍ତରଙ୍କ କୃତ୍ରିମ ସଙ୍କଟଙ୍କୁ ଆଡ଼େଇବାକୁ ଯାଇ ପିଜି ପାସ ଜୁନିଅର ଡାକ୍ତରଙ୍କୁ ଏକ ବର୍ଷିଆ ଠିକା ନିଯୁକ୍ତି ଦେଇ ରାଜ୍ୟ ସରକାର ତାଳିପକା ନୀତି ଗ୍ରହଣ କରିଛନ୍ତି l ଯାହାଫଳରେ ଅଧିକାଂଶ ବେଳେ ବିପଦସଂକୁଳ ରୋଗୀଙ୍କ ଜରୁରୀ ଚିକିତ୍ସା ଆବଶ୍ୟକତା ବେଳେ ଜୁନିଅର ଡାକ୍ତରଙ୍କ ନାମକୁ ମାତ୍ର ଚିକିତ୍ସାରେ ରୋଗୀଙ୍କ ଅକାଳ ମୃତ୍ୟୁ ହେଉଛି l ଏଥିପାଇଁ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି l ରାଜ୍ୟ ସରକାରଙ୍କ ନିଦାନ ଯୋଜନା ଅନୁଯାୟୀ ସମସ୍ତ ପରୀକ୍ଷା ମାଗଣା ହେବା ପ୍ରଚାର ହେଉଥିବା ବେଳେ ସିଟିସ୍କାନ ଓ ଏଣ୍ଡୋସ୍କୋପି ଦୀର୍ଘ ଦିନରୁ ବନ୍ଦ ରଖାଯାଇଛି ଓ ରୋଗୀ ବାଧ୍ୟ ହୋଇ ବିଭିନ୍ନ ଘରୋଇ ପରୀକ୍ଷା କେନ୍ଦ୍ରକୁ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ ସହିବାକୁ ପଡୁଛି l ଦୀର୍ଘ ବର୍ଷରୁ ବର୍ଣ୍ଣ କେୟାର ୟୁନିଟ କଥା କହି କହି ସମୟ ଗଡେଇ ଚାଲିଛନ୍ତି ରାଜ୍ୟ ସରକାର l ଏତଦସହ ରୋଗୀଙ୍କ ସୁବିଧା ପାଇଁ ନୂଆ ବସଷ୍ଟାଣ୍ଡ ସମ୍ମୁଖସ୍ତ ମେଡିକାଲ ଦ୍ୱିତୀୟ ଗେଟ ଖୋଲିବା, ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ସିଟିସ୍କାନ ଓ ଏଣ୍ଡୋସ୍କୋପି ମେସିନକୁ କାର୍ଯ୍ୟକ୍ଷମ କରିବା, ରୋଗୀଦେଖା ସମୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନ୍ୟୁ୍ରୋଲୋଜି ବିଭାଗରେ ଇଣ୍ଡୋର ବିଭାଗ ଚାଲୁ କରିବା ,କିଡ଼ନୀ ରୋଗୀଙ୍କ ପାଇଁ ପୃଥକ ଇଣ୍ଡୋର ବିଭାଗ ଖୋଲିବା,24ଘଣ୍ଟିଆ ଡାଏଲିସିସ ବ୍ୟବସ୍ଥା କରିବା, କାର୍ଡିଓଲୋଜି ଓ ନ୍ୟୁରୋଲୋଜି ବିଭାଗରେ ସ୍ୱତନ୍ତ୍ର ICU ରଖାଯିବା, ICU ରେ ବରିଷ୍ଠ ଡାକ୍ତରଙ୍କୁ ନିୟୋଜିତ କରିବା, ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଅଧିକ ସଂଖ୍ୟାରେ ଯୋଗାଇବା ଓ ଘରୋଇ ଆମ୍ବୁଲାନ୍ସ ସହ ସଲାସୁତରା କରି ରୋଗୀଙ୍କୁ ଲୁଟିବା ବନ୍ଦ କରିବା,ନିରାମୟ କେନ୍ଦ୍ରକୁ ସନ୍ଧ୍ୟା 5ଘଣ୍ଟା ପରିବର୍ତ୍ତେ 6ଘଣ୍ଟା ସମୟ ପର୍ଯ୍ୟନ୍ତ ଖୋଲା ରଖିବା ଭଳି ମୌଳିକ ଦାବୀ କରାଯାଇଛି l ସମାଜସେବୀ ମନୋଜ ତରାଇ ଓ ହୃଷିକେଶ ପାତ୍ରଙ୍କ ନେତୃତ୍ୱରେ ବଂଶୀଧର ଭୂୟାଁ,ମାଗୁଣି ନାହାକ,ବିଜୟ ଚନ୍ଦ୍ର ବିଶୋଇ, ଏସ. ସlମ୍ବଶିବା ରାଓ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଋଷିକୂଲ୍ୟା ରୟତ ମହାସଭାର ବିଜୟ ସ୍ୱାଇଁ,ମାନବବାଦୀ ହେତୁବାଦୀ ସଂଗଠନର କେ.ନlନ୍ଦେସୁ ସେନାପତି,ଶାରଦା ସେନାପତି,ମୋହନ ରାଓ,ରାଜନୈତିକ ଯୁବ ନେତା ଆଦିତ୍ୟ ରଥ,ମହାତ୍ମା ହେଲପିଂ କ୍ଲବର ଏମ. ଭେଙ୍କଟରାମଣା, ଏ. ସୁରେଶ,ଗଗନ ଚନ୍ଦ୍ର ମଲ୍ଲିକ,କବିରାଜ ସାହୁ,ରମେଶ ପ୍ରସାଦ ଦାସ,ବିଷ୍ନୁପ୍ରିୟା ପାତ୍ର, ରୋନାଲି ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏ ବାବଦରେ ମେଡିକାଲ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରେରଣ କରାଯାଇଛି l

LEAVE A REPLY

Please enter your comment!
Please enter your name here