ଦିଲ୍ଲୀରେ ରାଜ୍ୟ ପ୍ରକଳ୍ପକୁ ସମୀକ୍ଷା କଲେ ନବୀନ

0
715

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଭବନରେ କେନ୍ଦ୍ର ନିକଟରେ ଅଟକି ରହିଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଓଡିଶାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପ, ବ୍ୟାଙ୍କିଙ୍ଗ ଓ ଟେଲିକମ ନେଟୱର୍କକୁ ଅଗ୍ରାଧିକାର ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀଠାରେ ଅବସ୍ଥାପିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ସେ ଗତ ୨୦୧୯ ଜାନୁଆରୀ ମାସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ କାର୍ଯ୍ୟାନ୍ବୟନ ବାବଦରେ ପଚାରି ବୁଝିଥିଲେ । ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ବାକି ରହିଥିବା ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ସେସବୁ କାର୍ଯ୍ୟର ନିୟମିତ ଫଲୋ ଅପ ପାଇଁ ସେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଆବାସିକ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରେଳବାଇ ପ୍ରକଳ୍ପଗୁଡିକୁ ବିଶେଷ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ଯେଉଁସବୁ ପ୍ରକଳ୍ପରେ ରାଜ୍ୟ ସରକାର ଏକ ସିଂହଭାଗ ପ୍ରକଳ୍ପ ଅର୍ଥ ଭାର ବହନ କରୁଛନ୍ତି ଏବଂ ମାଗଣାରେ ଜମି ଯୋଗାଇ ଦେଉଛନ୍ତି, ସେ ସବୁ ପ୍ରକଳ୍ପ କାର୍ଯ୍ୟ କିଭଳି ଦ୍ରୁତ ଗତିରେ ଅଗ୍ରଗତି କରିବ ସେନେଇ ମନ୍ତ୍ରଣାଳୟ ସହ ନିୟମିତ ଯୋଗାଯୋଗ ରକ୍ଷା କରିବାକୁ ସେ କହିଛନ୍ତି । ସେହିଭଳି ରାଜ୍ୟରେ ବ୍ୟାଙ୍କିଙ୍ଗ ଏବଂ ଟେଲିକମ ସେବାର ଉନ୍ନତି ପାଇଁ ମଧ୍ୟ ନିୟମିତ ଭାବେ କେନ୍ଦ୍ର ସହ ଯୋଗାଯୋଗରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏଥିସହିତ ସେ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୫ -ଟି କାର୍ଯ୍ୟକାରିତାକୁ ବୁଲି ଦେଖିଥିଲେ । ପ୍ରଶାସନିକ ଏବଂ ଆର୍ଥିକ ପରିଚାଳନାରେ ୫ -ଟିର ବ୍ୟବହାର ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଆବାସିକ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here