ସ୍ବୀକାରୋକ୍ତି
ମରି ଯାଇଥିବା ଏକ ମନର ତୁମେ
ମାନସୀ କି ନା ଜାଣେନା
କିନ୍ତୁ ହଁ, ବିଶ୍ୱାସ ନିଶ୍ଚୟ
ଥକି ପଡିଥିବା ଏକ ପଥିକର ତୁମେ
ଲକ୍ଷ କି ନା ଜାଣେନା
କିନ୍ତୁ ହଁ, ଲକ୍ଷର ପଥ ନିଶ୍ଚୟ
ହାରି ଯାଇଥିବା ଏକ କବିର ତୁମେ
କବିତା କି ନା ଜାଣେନା
କିନ୍ତୁ ହଁ, କବିତାର ଶବ୍ଦଗୁଚ୍ଛ ନିଶ୍ଚୟ
ଭାଙ୍ଗି ଯାଇଥିବା ହୃଦୟର ତୁମେ
ସ୍ପନ୍ଦନ କି ନା ଜାଣେନା
କିନ୍ତୁ ହଁ, ସ୍ପନ୍ଦନ ର ଆଧାର ନିଶ୍ଚୟ
ଲିଭି ଲିଭି ଆସୁଥିବା ଦୀପର ତୁମେ
ସଳିତା କି ନା ଜାଣେନା
କିନ୍ତୁ ହଁ, ଇନ୍ଧନ ନିଶ୍ଚୟ
ମୋ କଳଙ୍କିତ କଳାର ତୁମେ
ଆକାର କି ନା ଜାଣେନା
କିନ୍ତୁ ହଁ, କଳାର ସ୍ବୀକୃତି ନିଶ୍ଚୟ
ତୁମ ମନ ଉଦ୍ୟାନର ମୁଁ
ଭ୍ରମରଟିଏ କି ନା ଜାଣେନା
କିନ୍ତୁ ହଁ, ତୁମ ମନର ଭ୍ରମ ନିଶ୍ଚୟ
ମୁଁ ତୁମର ପ୍ରେମିକ
କି ନା ଜାଣେନା
କିନ୍ତୁ ହଁ ତୁମେ ହିଁ
ମୋ ପ୍ରେମ ନିଶ୍ଚୟ….