ପ୍ରେମିକାକୁ ମିଶିବା ପାଇଁ ଯାଇଥିବା ଯୁବକର ବାରହା ଶିକାର ବିଦ୍ୟୁତ୍ ତାରରେ ଲାଗି ମୃତ୍ୟୁ :୩ ଗିରଫ

0
318

କୁକୁଡାଖଣ୍ଡି:ପ୍ରେମିକାକୁ ରାତିରେ ମିଶିବାକୁ ଯାଇଥିବା ଯୁବକ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ହୋଇଥିବା ବେଳେ ଏହି ଘଟଣାରେ ସଦର ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଡିସେମ୍ବର ୧୩ ତାରିଖ ସକାଳ ୬ଟା ସମୟରେ ସଦରଥାନା ପୋଲିସ ନୁଆଁ ବାଇଗଣବାଡ଼ି ନିକଟସ୍ତ ଏକ କାଜୁ ଜଙ୍ଗଲରୁ ବଉଳଝୋଳି ଗ୍ରାମର ଉମା ବିଷୋୟୀ(୨୬) ନାମକ ଜଣେ ଯୁବକର ମୃତଦେହ ଉଦ୍ଧାର କରିଥିଲା ।ଯୁବକର ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ସେ ଆତ୍ମହତ୍ୟା କରିଛି ନା ତାଙ୍କୁ କିଏ ହତ୍ୟା କରିଥିଲା ସେ ଘଟଣାକୁ ନେଇ ସଦର ପୋଲିସ ତଦନ୍ତ କରୁଥିଲା । ମୃତକ ଜଣକ ଥିଲେ ବଉଳଝୋଳି ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ।ଉକ୍ତ ଯୁବକ ଜଣକ ଦୀର୍ଘ ଦିନ ଧରି ନୁଆଁ ବାଇଗଣବାଡ଼ିର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଏବଂ ବିଭିନ୍ନ ସମୟରେ ଉମା ବିଳମ୍ବିତ ରାତିରେ ଆସି ନିଜ ପ୍ରେମିକାକୁ ଭେଟୁଥିଲେ ।ସେହିଭଳି ୧୨ ତାରିଖ ରାତିରେ ମଧ୍ୟ ଉମା ପ୍ରେମିକାଙ୍କ ଘର ନିକଟକୁ ଆସି ପ୍ରେମିକାଙ୍କୁ ସାଙ୍ଗରେ ଧରି ବାହାରିଥିଲେ ।କିନ୍ତୁ ଯୁବକର ମୃତ୍ୟୁ ହେବା ପରେ ନାବାଳିକା ଜଣକ ଯୁବକର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘରେ ଜଣାଇ ଥିଲେ ।ଯୁବକର ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବା ବେଳେ ମୃତ୍ୟୁ କେମେତି ହେଲା ତାହା ସନ୍ଦେହ ସୃଷ୍ଟି କରିଥିଲା ।ଏହି ଘଟଣାରେ ସଦର ପୋଲିସ ୭୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।ଘଟଣାରେ ପତିତପାବନପୁରର ତ୍ରିନାଥ ଦାସ (୨୫),ପଦରବାଲିର ସନିଆ ଦାସ (୨୪),କିଶୋର ଦାସ (୨୨)କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ (ଓଡି-୦୨-ଏଇ ୮୬୬୪) ନଂ ବିଶିଷ୍ଟ ଏକ ବାଇକ୍,ମୋବାଇଲ,ଵମ୍ବୋ ଷ୍ଟିକ,୧ କେଜି ଜିଆଇ ତାର ଜବତ କରିଛି ପୋଲିସ ।ଗିରଫ ତିନିଜଣ ବାଇଗଣବାଡ଼ି ନିକଟସ୍ଥ କାଜୁ ଜଙ୍ଗଲରେ ଜିଆଇ ତାର ବିଦ୍ୟୁତ ସଂଯୋଗ ସହ ବନ୍ୟ ଜନ୍ତୁ ଶିକାର ପାଇଁ ବିଛିଥିଲେ ।ହେଲେ ମୃତ ଉମା ଓ ତାର ପ୍ରେମିକା କଥା ହେବା ପାଇଁ ଉକ୍ତ କାଜୁ ଜଙ୍ଗଲ ନିକଟକୁ ଆସି ବାଇକ୍ ରଖିଥିବା ବେଳେ ହଠାତ୍ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିଯାଇ ଘଟଣା ସ୍ଥଳରେ ଟଳିପଡ଼ିଥିଲେ । ଉମାଙ୍କ ମୃତ୍ୟୁ ହୋଇଯିବା ସମ୍ପର୍କରେ ତାଙ୍କ ପ୍ରେମିକା ଉମାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଉମାଙ୍କ ଭାଇ ଧର୍ମା ବିଷୋୟୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here