ଜଗଦଳପୁର ଗ୍ରାମରେ ଅଚିହ୍ନା ଦୁର୍ବୁତ୍ତଙ୍କ ଆତଙ୍କ

0
364

କୁକୁଡ଼ାଖଣ୍ଡି:ସଦର ଥାନା ଅନ୍ତର୍ଗତ ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ମହିଳାମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ନେଇ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି ।ମାତ୍ର ୫ ଦିନ ମଧ୍ୟରେ ଜଣେ ମହିଳାଙ୍କୁ ଦୁଇଥର ଆକ୍ରମଣ ହୋଇଥିବା ବେଳେ ଆଉ ଜଣେ ମହିଳାଙ୍କୁ ଥରେ ଆକ୍ରମଣ ହୋଇଛି ।ତେବେ ଦୁର୍ବୁତ୍ତ ଜଣକ କେଉଁ ଉଧେଷ୍ୟ ନେଇ ଉକ୍ତ ମହିଳାଙ୍କୁ ଆକ୍ରମଣ କରୁଛି ତାହା ସାଧାରଣରେ ସନ୍ଧେହ ସୃଷ୍ଟି କରିଛି ,ଏବଂ ଆକ୍ରମଣ ପରେ ଦୁର୍ବୃତ୍ତ ଜଣକ ଆଖିପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ମଧ୍ୟ ସଫଳ ହେଉଛି ।ଅନ୍ୟପକ୍ଷରେ ବାରମ୍ବାର ଏଭଳି ଘଟଣା ଜଗଦଳପୁର ଗ୍ରାମରେ ହିଁ ଘଟୁଥିବା ବେଳେ ପୋଲିସ ପାଇଁ ଏହା ଏକ ଚାଲେଞ୍ଜ ସୃଷ୍ଟି କରିଛି ।ମିଳିଥିବା ସୂଚନା ଅନୁଯାୟୀ, କେହି ଜଣେ ଦୁର୍ବୃତ୍ତ ଗତ କିଛି ଦିନ ହେଲା କିଛି ମହିଳାଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛି ।ପ୍ରଥମ ଘଟଣା ବୁଧବାର ଦିନ ଘଟିଥିବା ବେଳେ ଗୋଲା ସାହିରେ ରହୁଥିବା ବାସନ୍ତୀ ପାଢ଼ୀ ନାମକ ଜଣେ ମହିଳା ଘର ଭିତରେ ଥିବା ବେଳେ ତାଙ୍କୁ ଜଣେ ଯୁବକ ଧକ୍‌‌କା ଦେଇ କିଛି ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲା ।ପୁଣି ଗୁରୁବାର ଦିନ ଉକ୍ତ ସାହିରେ ରହୁଥିବା କେ. ଜଗନ୍ନାଥଙ୍କ ସ୍ତ୍ରୀ କେ.ଭାରତୀ ପାତ୍ର(୪୭) ଘରେ ଖାଇବସିଥିବା ବେଳେ ଜଣେ ଦୁର୍ବୁତ୍ତ ଘରେ ପଶି ନିଜକୁ ପୋଲିସ ପରିଚୟ ଦେବା ସହ କବାଟ ବନ୍ଦ କରିଦେଇଥିଲା ।ମହିଳା ଜଣକ ଏହାକୁ ପ୍ରତିବାଦ କରିବାକୁ ଚେଷ୍ଟା କରିଥିବା ବେଳେ ଦୁର୍ବୁତ୍ତ ଜଣକ ଏକ ଲୁହା ରଡରେ ଭାରତୀଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ।ଏହି ଆକ୍ରମଣ ପରେ ଭାରତୀଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ଶ୍ରାବ ହେବା ସହ ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ ।ତେବେ ଲଗାତାର ଦୁଇ ଦିନ ଭିତରେ ଦୁଇଟି ଆକ୍ରମଣ ଘଟଣା ଘଟିଥିବା ଯୋଗୁ କେହି ଦୁର୍ବୃତ୍ତ ଲୁଟ୍‌‌ ଉଦେ୍ଧଶ୍ୟରେ ଏଭଳି କାଣ୍ଡ ଭିଆଉଥିବା ଆଲୋଚନା ହେଉଥିଲା ।ଏତିକି ବେଳେ ଶୁକ୍ରବାର ଗ୍ରାମର କବିତା ପାଢ଼ୀ(୪୬) ନାମକ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା ।ସ୍ୱାମୀ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ସେ ଘରେ ଅନୁପସ୍ଥିତ ରହିଥିଲେ ।ଏବଂ ତାଙ୍କର ଏକ ମାତ୍ର ପୁଅ ଟିଉସନ୍ କୁ ପାଠ ପଡିବା ନିମନ୍ତେ ଯାଇଥିଲେ ।ଏହି ସମୟରେ କବିତା ନିଜ ଗାଈକୁ ଗରମ ପାଣି ଦେବା ପାଇଁ ଗୁହାଳକୁ ଯାଇ ଘରକୁ ଫେରି କବାଟ ବନ୍ଦ କରିବା ସମୟରେ କବିତାଙ୍କ ମୁଣ୍ଡକୁ ଏକ ଇଟାରେ ଆଘାତ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୁତ୍ତ ।ଦୁର୍ବୁତ୍ତଙ୍କ ଆକ୍ରମଣରେ କବିତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା ଏବଂ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇବା ପରେ ଘରକୁ ଆଣିଥିଲେ ।ଏହି ଘଟଣା ପରେ ରବିବାର ସକାଳ ୮ଘଣ୍ଟା ସମୟରେ ପୁଣି ଥରେ କବିତା ପାଢ଼ୀଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, କବିତା ପାଢ଼ୀ ଘରେ ଥିବା ସମୟରେ ତାଙ୍କ ସ୍ୱାମୀ ବାବୁଲା ପାଢ଼ୀ କିଛି ଜିନିଷ ଆଣିବା ପାଇଁ ନିକଟସ୍ଥ ଦୋକାନକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ ଘର ସିଡ଼ି ରାସ୍ତା ଦେଇ ଲୁଟ୍ ଉଦ୍ୟମ କରିବା ପାଇଁ ଚେଷ୍ଟା କରୁଥିବା ବେଳେ କବିତା ଚିତ୍କାର କରିଥିଲେ ।ଫଳରେ ଦୁର୍ବୁତ୍ତ ଜଣକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କବିତାଙ୍କ ତଣ୍ଟି କାଟି ବାରିପଟେ ରାସ୍ତା ଦେଇ ଚମ୍ପଟ ମାରିଥିବା କବିତା କହିଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସପିଟାଲକୁ ନେଇ ଚିକିତ୍ସା କରାଇଥିବା ବେଳେ ବାରମ୍ବାର ଏହି ଘଟଣା ଘଟୁଥିବାକୁ ନେଇ ଜଗଦଳପୁର ଗ୍ରାମବାସୀଙ୍କ ଚିନ୍ତାରେ ପଡିବା ସହ ଉତେଜିତ ହୋଇପଡିଛନ୍ତି ।ଏହି ଘଟଣା ପରେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥବା ବେଳେ ଏହାର କିଛି ସମୟ ପରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏବଂ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ପିଡୀତାଙ୍କ ବୟାନ ନେଇଥିଲେ ।ଏହି ଘଟଣା ପରେ ସାଧା ପୋଷାକଧାରୀ ପୋଲିସ କର୍ମଚାରୀ ଗ୍ରାମରେ ମୂତୟନ ରହି ତୀକ୍ଷ୍ଣ ନଜର ରଖିଥିବା ବେଳେ କୌଣସି ଅଘଟଣ ଘଟିନଥିଲା ।କିନ୍ତୁ ରବିବାର ସକାଳ ୮ଟା ସମୟରେ ପୋଲିସର ଅନୁପସ୍ଥିତରେ ପୁଣି କବିତାଙ୍କ ଉପରେ ଆକ୍ରମଣ ହୋଇଛି ।ଏଭଳି ଘଟଣାକୁ ନେଇ ଗ୍ରାମବାସୀ ଅତି ଭୟବିତ ହୋଇପଡିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।ଏହି ଘଟଣାରେ ଗ୍ରାମବାସୀ ଭୟବିତ ନହେବା ସହ ପୋଲିସକୁ ସହଯୋଗ କରିବା ପାଇଁ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠି ଅନୁରୋଧ କରିଛନ୍ତି । ଏବଂ ଖୁବ ଶୀଘ୍ର ଆକ୍ରମଣ କାରୀକୁ ଧରାଜୀବ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here