ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା-୨୦୧୮ ପ୍ରକାରେ ଗଞ୍ଜାମ ଜିଲ୍ଲାର ୩୮୬୦ଜଣ କଳାକାର ସହାୟତା ପାଇବେ

0
221

ଛତ୍ରପୁର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲ୍ଲାର କଳାକାର ଭତ୍ତା ପାଇବା ସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜୁମ୍ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଜିଲ୍ଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା ଅନୁସାରେ ସମସ୍ତ କଳାକାର ଯେମିତି ଭତ୍ତା ପାଇବେ ସେଥି ସକାଶେ ତୁରନ୍ତ ରାଜ୍ୟକୁ ତାଲିକା ପ୍ରେରଣ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଏଠାରେ ପ୍ରକାଶ ଥାଉକି ୨୦୧୮ ମସିହା ଜନ ଗଣନା ଅନୁସାରେ ଗଞ୍ଜାମ ଜିଲ୍ଲାକୁ ୩୮୬୦ ଜଣ କଳାକାର ଏହି ଭତ୍ତା ପାଇବା ସକାଶେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାକି ରାଜ୍ୟର ସମସ୍ତ ଜିଲ୍ଲା ଠାରୁ ଅଧିକ ସଂଖ୍ୟା ଥିଲା । ସେହି ପ୍ରକାରେ ୨୦୧୮ ମସିହାରେ କଳାକାର ମାନଙ୍କ ଆବେଦନ ଏବଂ ଚୟନ କରାଯାଇ ସମୁଦାୟ ୧୭୫୬ ଜଣଙ୍କ ନାମ ସୁପାରିଶ ହୋଇଥିଲା ଓ ସେହି ପ୍ରକାରେ ଗଞ୍ଜାମ ଜିଲ୍ଲାର ୧୭୫୬ ଜଣ କଳାକାର ଭତ୍ତା ପାଇ ଆସୁଥିଲେ । ୨୧୦୪ ଗୋଟି ସ୍ଥାନ ଖାଲି ରହିଥିଲା । ଏହି କଳାକାର ମାନଙ୍କ ମଧ୍ୟରୁ ଅନେକ କଳାକାର ମୃତ ହେବା ପରେ ପୁନର୍ବାର କଳାକାର ଭତ୍ତା ନିମନ୍ତେ ଆବେଦନ ସଂଗ୍ରହ କରାଯାଇଥିଲା । ଗଞ୍ଜାମ ଜିଲ୍ଲାରୁ ସମୁଦାୟ ୫୬୬୮ ଜଣ କଳାକାରଙ୍କ ଠାରୁ ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା । ପ୍ରାପ୍ତ ହୋଇଥିବା ସମସ୍ତ ଆବେଦନ ପତ୍ର ଯାଂଚ୍ କରାଯାଇ ୪୯୮୩ଜଣଙ୍କ ଆବେଦନକାରୀଙ୍କ ପ୍ରମାଣ ପତ୍ର ସଠିକ୍ ଥିଲା । ଏହି ସଠିକ୍ ଥିବା ସମସ୍ତ କଳାକାରଙ୍କ ତାଲିକା ସେମାନଙ୍କ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଚୟନ ସକାଶେ ପ୍ରେରଣ କରାଯାଇଥିଲା । ବ୍ଲକ୍ କଳାସଂଘର ସଭ୍ୟ ମାନଙ୍କୁ ସଂପୃକ୍ତ କରାଯାଇ ସେମାନଙ୍କ ସ୍ତରରେ ଚୟନ କରି ପ୍ରକୃତ କଳାକାର ମାନଙ୍କ ନାମ ତାଲିକା ଜିଲ୍ଲାକୁ ପ୍ରେରଣ ସକାଶେ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା । ଜିଲ୍ଲାର ସମୁଦାୟ ୪୯୮୩ଜଣଙ୍କ ନାମ ତାଲିକା ଚୟନ ହୋଇ ଜିଲ୍ଲା କାର୍ଯ୍ୟାଳୟ ଠାରେ ପ୍ରାପ୍ତ ହୋଇଥିଲା । ପୂର୍ବରୁ ପାଇଥିବା ୧୭୫୬ କଳାକାର ଏବଂ ବର୍ତ୍ତମାନ ନୂତନ ଭାବେ ୨୧୦୪ଜଣ କଳାକାରଙ୍କୁ ମିଶା ଯାଇ ଜିଲ୍ଲାକୁ ପ୍ରାପ୍ତ ହୋଇଥିବା ୩୮୬୦ ଜଣ କଳାକାରଙ୍କ ନାମ ରାଜ୍ୟକୁ ପ୍ରେରଣ କରାଯିବ । ସମସ୍ତ କଳାକାର ଯେପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଭତ୍ତା ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଦେଇଥିଲେ ।
ଆଜିର ଏହି ବୈଠକରେ ଜିଲ୍ଲା ପରିଷଦ ଗଞ୍ଜାମର ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭାସନ୍ ଭି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଏବଂ ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ସନ୍ତୋଷ କୁମାର ପାଢୀ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here