ସୋନାପୁର ବେଳାଭୂମିରେ ଇକୋ ରିଟ୍ରେଟ୍ କିକ୍ ଷ୍ଟାର୍ଟ , ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ସହାୟ ହେବ

0
338

ଗଞ୍ଜାମ: ଓଡିଶା ପର୍ଯ୍ୟଟନ ବିଭାଗର ପ୍ରୟାସ କ୍ରମେ ସୋନାପୁର ଠାରେ ଆରମ୍ଭ ହୋଇଛି ‘ଇକୋ ରିଟ୍ରେଟ୍’।ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ପୂର୍ବାହ୍ନ ସମୟରେ ଓଡିଶାର ୭ ଗୋଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରେଟ୍‘ ସ୍ଥାପନ କରାଯାଇଥିବା ସୂଚନା ଦେଇ ଓଡିଶାର ହିଲ୍ ଷ୍ଟେସନ୍, ନଦୀକୂଳ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଇଛି ।ଏଭଳି ଇକୋ ରିଟ୍ରେଟ୍ କୁ ଲୋକେ ପସନ୍ଦ କରୁଛନ୍ତି ଏବଂ ବାହାର ପର୍ଯ୍ୟଟକ ବିଶେଷ ଆକୃଷ୍ଟ ହେଉଥିବା ଜଣାଇଥିଲେ । କୋଣାର୍କର ଚନ୍ଦ୍ରଭାଗା,ଭିତର କନିକାର ପେଣ୍ଠ, ସମ୍ବଲପୁରର ହୀରାକୁଦ,କଟକର ସାତ କୋଶିଆ, କନ୍ଧମାଳର ଦାରିଙ୍ଗିବାଡି,କୋରାପୁଟର ପୁଟସିଲ୍ ଏବଂ ଗଞ୍ଜାମ ଜିଲ୍ଲାର ସୋନାପୁର ଠାରେ ଆଜି ଠାରୁ ଆସନ୍ତା ୯୦ ଦିନ ଅର୍ଥାତ୍ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଏହି ରିଟ୍ରେଟ୍ କାର୍ଯ୍ୟକ୍ରମ ଚାଲୁ ରହିବ।ନୂଆ ଦିଲ୍ଲୀର ଜନୈକ ବେସରକାରୀ ସଂସ୍ଥା ଏହି ‘ଇକୋ ରିଟ୍ରେଟ୍’ କାର୍ଯ୍ୟକ୍ରମର ପରିଚାଳନା କରିବା ଦାୟୀତ୍ବ ଗ୍ରହଣ କରିଛି ।ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତା କ୍ରମେ ଜିଲ୍ଲାର ଅନ୍ବେଷିତ ତଥା ପରିବେଶ ସମ୍ବେଦନଶୀଳ ଗନ୍ତବ୍ୟ ସ୍ଥଳକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ପର୍ଯ୍ୟଟନ ଅଞ୍ଚଳକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାଭଳି ଏହିଠାରେ ଆରାମ ଦାୟକ ଟେଣ୍ଟର ବ୍ୟବସ୍ଥା,ରହିବା ବ୍ୟବସ୍ଥା,ଶୀତତାପ ନିୟନ୍ତ୍ରୀତ ରେଷ୍ଟରାଣ୍ଟ,ଖାଇବା ସ୍ଥାନ ଏବଂ ବାହାରେ ବାର୍ ର ବ୍ୟବସ୍ଥା ରହିଛି ।ଏତଦ୍ ବ୍ୟତୀତ ସମ୍ମିଳନୀ କକ୍ଷ, ପିଲାଙ୍କ ସକାଶେ ଖେଳିବା ସ୍ଥାନ,ଗୁଲଫ୍ କାର୍ଟ,ଜଳ ଏବଂ ସ୍ଥଳ ଭାଗରେ ବିଭିନ୍ନ କୌତୁହଳପୂର୍ଣ୍ଣ ଖେଳିବା ସ୍ଥାନ ଏବଂ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥାମାନ ଏହି ଠାରେ ଉପଲବ୍ଧ ରହିଛି ।ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାଭଳି ଅନେକ ଗୁଡିଏ ବ୍ୟବସ୍ଥା ଏହି ଠାରେ କରାଯାଇଛି ।ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକର ବିକାଶ କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାଭଳି କାର୍ଯ୍ୟକ୍ରମ କରାଗଲେ ସ୍ଥାନୀୟ ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହେବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆତ୍ମ ନିର୍ଭରଶୀଳ ହେବା ଦିଗରେ ଅନେକ ପଥ ପରିଷ୍କାର ହେବ।ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଡଃ ଶ୍ରବଣ ବିବେକ ଏମ୍., ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭାସନ୍ ଭି ଏବଂ ବ୍ରହ୍ମପୁର ଉପ-ଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷ ଯୋଗ ଦେଇ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଜିଲ୍ଲାପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ପର୍ଯ୍ଯଟନ ବିକାଶରେ ଜିଲ୍ଲାର ବିକାଶ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ ଲାଇନ୍ ମାଧ୍ୟମରେ ପର୍ଯ୍ୟଟକ ମାନେ www.ecoretreatodisha.com ଏବଂ www.bookodisha.com କୁ ଯାଇ ବୁକ୍ କରିପାରିବେ।ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ଡଃ ରତିକାନ୍ତ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।ସମସ୍ତ ଅତିଥି ଏବଂ ଉପସ୍ଥିତ ସମସ୍ତ ଦର୍ଶକ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରି ଏହାର ମଜା ନେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here