ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଉତ୍କଳ ସାମ୍ବାଦିକ ସଂଘର ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

0
230

ଭଞ୍ଜନଗର : ଦୀର୍ଘ ୩୦ବର୍ଷ ଧରି ଘୁମୁସରବାସୀ ବିଭିନ୍ନ ସମୟରେ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍‌.ଏ.ସିକୁ ନେଇ ଘୁମୁସର ଜିଲ୍ଲା ନିମନ୍ତେ ନିଜର ନାର୍ଯ୍ୟ ଦାବୀ ସରକାର ଏବଂ ପ୍ରଶାସନକୁ ଜଣାଇବା ସହିତ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଏଥି ସହିତ ନୀଳମଣି ସେନାପତି କମିଶନ ଏବଂ ଆର୍‌.କେ.ଦାସ କମିଶନ ଙ୍କ ଜିଲ୍ଲା ଗଠନ ସପକ୍ଷରେ ଦେଇଥିବା ରିପୋର୍ଟ ରାଜନୈତିକ ପଶାପାଲିରେ ହୋଇଯାଇଛି। ୧୯୯୩ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲାବେଳେ ୬ଟି ଜିଲ୍ଲାର ଜନସଂଖ୍ୟା ଆବଶ୍ୟକତାଠାରୁ କମ୍ ରହିଥିଲା । ହେଲେ ଭଞ୍ଜନଗର ଠାରେ ସମସ୍ତ ପ୍ରକାର ଭିତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଂଚିତ ହୋଇଛି । ଗଞ୍ଜାମ ଜିଲ୍ଲା ଏକ ବୃହତମ ଜିଲ୍ଲା ହୋଇଥିବାରୁ ଭଞ୍ଜନଗର ସୀମାନ୍ତ ଅଂଚଳର ଲୋକମାନେ ପ୍ରାୟ ୧୫୦ କିଲୋମିଟର ଦୂରରେ ରହି ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ଆପଦ ବିପଦ କାଳରେ ଜିଲ୍ଲା ପ୍ରଶାସନ ମଧ୍ୟ ଠିକ୍ ସମୟରେ ଜନସାଧାରଣଙ୍କ ନିକଟରେ ପହଂଚି ପାରୁନାହିଁ । ଭଞ୍ଜନଗର ଉପଖଣ୍ଡ ଅଂଚଳର ଭୌଗୋଳିକ ପରିସ୍ଥିତି ଓ ଜନସଂଖ୍ୟା ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ସରକାର ଘୁମୁସର ଜିଲ୍ଲା ଘୋଷଣା କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜ୍ୟ ସରକାର ଉପନିର୍ବାଚନ ଚାପରେ ପଦ୍ମପୁର ଭଳି ଏକ ଛୋଟ ଉପଖଣ୍ଡ କୁ ୨୦୨୩ ସୁଦ୍ଧା ଜିଲ୍ଲା ଘୋଷଣା କରାଯିବା ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଓଡ଼ିଶାର ବୃହତ୍ତ ଉପଖଣ୍ଡ ଭଞ୍ଜନଗର କୁ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ଅଞ୍ଚଳର ବହୁ ଅନୁଷ୍ଠାନ ବର୍ତ୍ତମାନ ସ୍ୱର ଉତ୍ତୋଳନ ଆରମ୍ଭ କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୁନଃବାର ଘୁମୁସର ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଧେଶ୍ୟରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ରଘୁନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି ବିଭିନ୍ନ ନାରା ଦେଇ ଉପଜିଲ୍ଲାପାଳଙ୍କ କାଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣି ପ୍ରକୋଷ୍ଠରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କୀର୍ତ୍ତି ଭାସନ ଭି ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଘୁମୁସରବାସୀ ଓ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଙ୍କୁ ନେଇ ଭଞ୍ଜନଗର ବନ୍ଦ କରିବା ସହ ଜିଲ୍ଲା ମାନ୍ୟତା ଦାବିକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ସଂଘ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଅମେରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହସମ୍ପାଦକ ଚିନ୍ମୟ କୁମାର ବେବର୍ତା, କୋଷାଧ୍ୟକ୍ଷ ଗିରୀଶ ଚନ୍ଦ୍ର ସାହୁ, ବ୍ଲକ ସଂଯୋଜକ ପୁରୁଷେତମ ମହାପାତ୍ର ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭ୍ୟଦେବୀ ପ୍ରସାଦ ବିଷୋୟୀ ଙ୍କ ନେତୃତ୍ୱରେ ଓ ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକଙ୍କ ନେତୃତ୍ୱରେ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here