ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ବ୍ୟାପକ ହେବ ଆନ୍ଦୋଳନ , ୩୦ ବର୍ଷର ଦାବିକୁ ଅଣଦେଖା କରି ଚାଲିଛନ୍ତି ସରକାର

0
216

ଭଞ୍ଜନଗର : ୧୯୯୩ ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲା ବେଳେ ସେଥିରେ ୬ଟି ଜିଲ୍ଲାର ଜନସଂଖ୍ୟା ଆବଶ୍ୟକତା ଠାରୁ କମ ରହିଥିଲା।ହେଲେ ଭଞ୍ଜନଗର ଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି। ଗଞ୍ଜାମ ଜିଲ୍ଲା ଏକ ବୃହତ୍ତମ ଜିଲ୍ଲା ହୋଇଥିବାରୁ ଭଞ୍ଜନଗର ସୀମାନ୍ତ ଅଞ୍ଚଳର ଲୋକମାନେ ପ୍ରାୟ ୧୫୦ କିଲୋମିଟର ଦୂରରେ ରହି ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଛନ୍ତି।ବିଭିନ୍ନ ଆପଦ କାଳରେ ଜିଲ୍ଲା ପ୍ରଶାସନ ମଧ୍ୟ ଠିକ ସମୟରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରେ ନାହିଁ।ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଭୌଗଳିକ ପରିସ୍ଥିତି ଓ ଜନସଂଖ୍ୟା ପ୍ରାୟ ୨୨ଲକ୍ଷରୁ ଉର୍ଦ୍ଧ୍ବ ଥିଲେ ମଧ୍ୟ ସରକାର ଏହାକୁ ଘୁମୁସର ଜିଲ୍ଲା ଘୋଷଣା କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି।ତେଣୁ ଆନ୍ଦୋଳନକୁ ଜୋରଦାର କରିବା ଉଦ୍ଦେଶ୍ୟରେ ଭଞ୍ଜନଗରରେ ବହୁ ଅନୁଷ୍ଠାନ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଅଞ୍ଚଳବାସୀ ସରକାରଙ୍କ ପାଖରେ ଜିଲ୍ଲା ପାଇଁ ଉପଯୁକ୍ତ ଦାବି ଉପସ୍ଥାପନ କରିବା ନେଇ ସୂଚନା ମିଳିଛି। ଘୁମୁସରବାସୀ ଜିଲ୍ଲା ମାନ୍ୟତା ଦାବିରେ ଆଶା ନ ଛାଡ଼ି ଦୀର୍ଘ ୩୦ ବର୍ଷ ହେବ ବିଭିନ୍ନ ସମୟରେ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସିକୁ ନେଇ ଘୁମୁସର ଜିଲା ଘୋଷଣା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ ଭଞ୍ଜନଗର ସହରଠାରୁ ମାତ୍ର ୩ କି.ମି. ଦୂର ଘୁ.ନୂଆଗାଁରେ। ତାଙ୍କ ସମୟରେ ଘୁମୁସର ଜିଲା ଘୋଷଣା ହୋଇ ନ ଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ବର୍ଷରୁ ଉର୍ଦ୍ଧ୍ୱ ଦିନ କ୍ଷମତାରେ ରହିବା ପରେ ବି ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ସରକାର ବରଗଡ଼ ଜିଲ୍ଲା ପଦ୍ମପୁରବାସୀଙ୍କ ଦାବିକୁ ବିଚାରକୁ ନେଇଥିବାରୁ ଘୁମୁସରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାସକ ଦଳ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପଦ୍ମପୁର ଉପଖଣ୍ଡର ଭୌଗଳିକ ସ୍ଥିତି ଠାରୁ ଭଞ୍ଜନଗର ଉପଖଣ୍ଡ ଭୌଗଳିକ ପରିସ୍ଥିତି ଓ ଜନସଂଖ୍ୟା ପ୍ରାୟ ଅଧିକ ରହିଛି। ତେଣୁ ଭଞ୍ଜନଗର ଅଞ୍ଚଳବାସୀ ମଧ୍ୟ ଘୁମୁସର ଜିଲ୍ଲା ଦାବି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଓକିଲ ସଂଘ ସମେତ ଉପଖଣ୍ଡର ୮ ଗୋଟି ବ୍ଳକ ଓ ୫ ଏନଏସି ର ବହୁ ଅନୁଷ୍ଠାନକୁ ଏକତ୍ରିତ କରାଯାଇ କ୍ରିୟାନୁଷ୍ଠାନ କମିଟି ଗଠନ କରି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜଣାପଡିଛି। ପ୍ରକାଶ ଥାଉକି,ରାଜ୍ୟର ଏକ ବଡ ଉପଖଣ୍ଡ ହେଉଛି ଭଞ୍ଜନଗର। ଭୌଗଳିକ ଏବଂ ଲୋକସଂଖ୍ୟା ଦୃଷ୍ଟିରୁ କେତେକ ଜିଲ୍ଲା ଅପେକ୍ଷା ଭଞ୍ଜନଗର ଉପଖଣ୍ଡ ବଡ। ତଥାପି ଭଞ୍ଜନଗର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରାଯାଉନାହିଁ। ଘୁମୁସର ଜିଲ୍ଲା ଘୋଷଣା ନେଇ ଅଧିକାଂଶ ପ୍ରକ୍ରିୟା ସରିଥିଲେ ମଧ୍ୟ ସରକାର ଅଞ୍ଚଳବାସୀଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here