ଭଞ୍ଜନଗର: ଚକାଚକ ଶ୍ରେଣୀ ଗୃହ ସାଙ୍ଗକୁ ଅତ୍ୟାଧୁନିକ ଇ-ଲାଇବ୍ରେରୀ ଓ ଇ-କ୍ଲାସରୁମ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ୫-ଟି ସ୍କୁଲ ରୁପାନ୍ତରିତ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ଗୁଡିକର ନବକଳେବର ଜାରି ରଖିଛନ୍ତି । ହେଲେ ଭଞ୍ଜନଗର ବ୍ଳକ ଡିହପଢାଳ ସ୍ମାର୍ଟ ସ୍କୁଲ ନିର୍ମାଣରେ ହୋଇଥିବା ଚଞ୍ଚକତା ବାସ୍ତବରେ କେତେ ବିକଶିତ ତା’ ପ୍ରକୃତ ସତ ଖୋଲି ଦେଇଛି ଭଞ୍ଜନଗର ବିଇଓଙ୍କ ଚିଠି । ଡିହପଢାଳ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ନିର୍ମାଣରେ ଚଞ୍ଚକତା ହୋଇଥିବା ଭଞ୍ଜନଗର ବିଡିଓଙ୍କୁ ଚିଠି ଲେଖି ଜଣାଇଛନ୍ତି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ.ଧନଞ୍ଜୟ । ବିଇଓଙ୍କ ଏହି ଚିଠି ଖୋଲିଛି ସ୍ମାର୍ଟ ସ୍କୁଲର ବ୍ୟାପକ ଅନିୟମିତତାର ଗୁମର କଥା । ବିଇଓ କାଯ୍ୟାଳୟର ଚିଠି ସଂଖ୍ୟା ୩୭୪୯ ରେ ଦର୍ଶାଯାଇଛି ଯେ,ସ୍କାର୍ଟ ଶ୍ରେଣୀ ଗୃହରେ ବିଦ୍ୟୁତ ତାର ୱାରିଂ ହୋଇନାହିଁ । ଝରକା ଓ କବାଟ ଲାଗିନାହିଁ । ଫ୍ୟାନ ଓ ଲାଇଟ୍ ସାଙ୍ଗକୁ ପାଣି ଟାଙ୍କି ବ୍ୟବସ୍ଥା ନାହିଁ । ଶୌଚାଳୟ କାମ ଅସମ୍ପୂର୍ଣ୍ଣ ପଡିରହିଛି। ତତ୍ ସହିତ ରାସ୍ତା କାମ,ସୌନ୍ଦର୍ଯ୍ୟକରଣ ଏବଂ ଖେଳପଡିଆ କାମ ଆଦୌ ଆରମ୍ଭ ହୋଇନାହିଁ। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ଜୁନ ମାସରେ କାଯ୍ୟ ଶେଷ ହୋଇନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡ଼ରେ ଏହାର ଲୋକାର୍ପଣ କରିଥିଲେ। । ଇତି ମଧ୍ୟରେ ଏଠାରେ ୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ଜଣାପଡିଛି। ଗତ କିଛି ଦିନ ତଳେ ସ୍ମାର୍ଟ ସ୍କୁଲ ଗୁଡିକ କେମିତି ଚାଲିଛି ତାହା ଜଣାଇବା ପାଇଁ ସ୍କୁଲ ପରିଦର୍ଶନ କରି ରିପୋର୍ଟ ଦେବାକୁ ସମସ୍ତ ବିଇଓଙ୍କୁ ନିର୍ଦେଶ ଦେଇଥିଲେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରିଣୀ ବିନିତା ସେନାପତି । ଡିଇଓଙ୍କ ନିର୍ଦ୍ଦେଶ ପାଳନ କରି ଭଞ୍ଜନଗର ବିଇଓ ଏସ୍.ଧନଞ୍ଜୟ ନିଜ ଅଧୀନରେ ଥିବା ସମସ୍ତ ସ୍ମାର୍ଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଡକାଇ ଏକ ବୈଠକ କରିଥିଲେ । ପରେ ସେ ନିଜେ ବିଦ୍ୟାଳୟ ପରିଦର୍ଶନ କରି ଅବ୍ୟବସ୍ଥା ସମ୍ପର୍କରେ ଚିଠି ମାଧ୍ୟମରେ ବିଡ଼ିଓଙ୍କୁ ଜଣାଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ସ୍ମାର୍ଟ ସ୍କୁଲ ନିର୍ମାଣ ପାଇଁ ଆସିଥିବା ସମସ୍ତ ଅନୁଦାନ ବିଡ଼ିଓଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଠିକାଦାରଙ୍କୁ କାମ ସାରିବାକୁ କହିବା ପରେ ସେ ଫଣ୍ଡରେ ଟଙ୍କା ନଥିବା କହି କାମ ସାରିନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ। ଏ ନେଇ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର କହିଛନ୍ତି, ଭଞ୍ଜନଗର ବିଡ଼ିଓ ଭାବେ ସେ କାଯ୍ୟରେ ଯୋଗ ଦେବା ପୂର୍ବରୁ ଅନୁଦାନ ସମ୍ପୁର୍ଣ୍ଣ ଭାବେ ଖର୍ଚ୍ଚ କରାଯାଇ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଥିଲା। ପୁରୁଣା ସ୍କୁଲ ଟିଣ ଛପର କଡ଼ାଯାଇ ସ୍ମାର୍ଟ ବିଦ୍ୟାଳୟ ନିର୍ମାଣ ହୋଇଥିବାରୁ ୪୫ ଲକ୍ଷ ଟଙ୍କାର ଅନୁଦାନ ଠାରୁ ଅଧିକ ଆବଶ୍ୟକତା ପଡୁଛି। ଜିଲ୍ଲାପାଳ ଓ ସରପଞ୍ଚ ଙ୍କ ସହ ଆଲୋଚନା କରାଯାଇ ଟଙ୍କା ମଞ୍ଜୁର ପରେ କାଯ୍ୟ ସମ୍ପୂର୍ଣ୍ଣ ହେବ । ତେବେ ସ୍କୁଲ ରୂପାନ୍ତରିତକରଣ ନାମରେ ଆସିଥିବା ଟଙ୍କାକୁ ଆତ୍ମସାତ କରାଯାଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
ରିପୋର୍ଟ:ନିଲୁ ବିଷୋୟୀ