
କୁକୁଡାଖଣ୍ଡି: ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର-ରେଗିଡ଼ି ମଝିରାସ୍ତାରେ ଗତ ମଙ୍ଗଳବାର ଦିନ ହୋଇଥିବା ପୂର୍ଣ୍ଣ ଚନ୍ଦ୍ର ନାହକ ହତ୍ୟା ଘଟଣାରେ ପୋଲିସ ଚର୍ତୁଥ ଅଭିଯୁକ୍ତକୁ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ରାମସା ନାରାୟଣପୁର ଗ୍ରାମର ଅନନ୍ତ ବେହେରା (୨୧) । ଅନନ୍ତଙ୍କ ଠାରୁ ପୋଲିସ (ଓଡି ୦୭ ଏଏଲ ୭୩୭୦)ନମ୍ବର ବିଶିଷ୍ଟ ଏକ ନୀଳ ରଙ୍ଗର ବାଇକ୍ ସହ ଆକ୍ରମଣ ସମୟରେ ପିନ୍ଦିଥିବା ରକ୍ତ ଭିଜା ଡ୍ରେସ୍ ମଧ୍ୟ ଜବତ କରିଛି । ପୂର୍ଵରୁ ଏହି ଘଟଣାରେ ସଦର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣ ଭୀମ ବେହେରା,ସାଗର ବେହେରା,କୃଷ୍ଣ ବେହେରାକୁ ଗିରଫ କୋର୍ଟ ଚାଲାଣ କରିଥିଲା ।ସୂଚନାଯୋଗ୍ୟ ଯେ,ଏକ ଦୁଷ୍କର୍ମ ମାମଲାର ସାକ୍ଷୀ ଦେବା ପାଇଁ ପୂର୍ଣଚନ୍ଦ୍ର ଗତ ୧୩ ତାରିଖରେ ବାଇକ୍ରେ ସକାଳ ୧୦ଟା ୧୦ମିନଟ ସମୟରେ ବ୍ରହ୍ମପୁର ପୋସ୍କୋ କୋର୍ଟକୁ ଯାଉଥିବା ବେଳେ ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର ରେଗଡି ଛକ ମଝି ରାସ୍ତାରେ ପୂର୍ବରୁ ଛପି ରହିଥିବା ଉପରୋକ୍ତ ଅଭିଯୁକ୍ତମାନେ ପୂର୍ଣ୍ଣଙ୍କ ଗୋଡକୁ ଲକ୍ଷ କରି ଖଣ୍ଡାରେ ହାଣିଥିଲେ । ପୂର୍ଣ୍ଣ ତଳେ ପଡିଯିବା ପରେ ତାଙ୍କୁ ୪ଜଣ ଯୁବକ ଆକ୍ରମଣ କରି ଚାଲିଥିଲେ ।ରକ୍ତାକ୍ତ ଅବସ୍ଥାରେ ପୂର୍ଣ୍ଣ ରାସ୍ତାରେ ପଡିଥିବା ବେଳେ ଜଣେ ହତ୍ୟାକାରୀ ପୂର୍ଣ୍ଣଙ୍କ ପତ୍ନୀ ମିନତୀ ନାହାକଙ୍କୁ ଫୋନ୍ କରି ତୁମ ସ୍ୱାମୀଙ୍କୁ ହାଣିଦେଲୁ ରାସ୍ତାରେ ପଡିଛି ତୁରନ୍ତ ମେଡିକାଲ ନିଅ ବୋଲି କହି ଫୋନ୍ କାଟି ଦେଇଥିଲେ । ଘଟଣା ସ୍ଥଳେ ସଦର ଥାନା ପୁଲିସ ପହଞ୍ଚି ରକ୍ତାକ୍ତ ହୋଇ ପଡିରହିଥିବା ପୂର୍ଣ୍ଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲା । ଏଠାରେ କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଏ ନେଇ ମୃତ ପୂର୍ଣ୍ଣଙ୍କ ସ୍ତ୍ରୀ ମିନତୀ ନାହାକ ସଦର ଥାନାରେ ୨୦ରୁ ଉର୍ଦ୍ଧ୍ବ ଜଣକ ନାମରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ କେସ୍ ନମ୍ବର ୪୨୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତ ବେଳେ ପୁଲିସ ଜାଣିବକୁ ପାଇଥିଲା ମିଳିଥିଲା ଯେ, ପୂର୍ବ ଶତ୍ରୁତାକୁ ନେଇ ପୂର୍ଣ୍ଣଙ୍କୁ ହତ୍ୟା କରାଯାଇଥିଲା । ପୂର୍ବରୁ ମୃତ ପୂର୍ଣ୍ଣ ଓ ଭୀମ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ଭୀମ ଗୋଷ୍ଠୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତ ପୂର୍ଣ୍ଣଙ୍କ ନାଁରେ ଆଟ୍ରୋସିଟି ମାମଲା ରୁଜୁ କରିଥିଲା । ତେଣୁ ପୂର୍ଣ୍ଣ ଗିରଫ ହେବା ପୂର୍ବରୁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ । ସେ କୋର୍ଟରୁ ଜାମିନ ଆଣିଥିବା ଖବର ଜଣାପଡିବା ପରେ ଭିମପୁଣି ସୁଯୋଗ ଖୋଜୁଥିଲା ପୂର୍ଣ୍ଣକୁ ଉଡେଇ ଦେବା ପାଇଁ । ପୂର୍ଣ୍ଣ ବ୍ରହ୍ମପୁର କୋର୍ଟକୁ ସାକ୍ଷୀ ଦେବା ପାଇଁ ଯାଉଥିବା ଖବର ଭୀମ ଗୋଷ୍ଠୀ ଜାଣିବା ପରେ ଭୀମ ଗତ ମଙ୍ଗଳବାର ପୂର୍ଣ୍ଣ ବ୍ରହ୍ମପୁର ପୋସ୍କୋ କୋର୍ଟକୁ ସାକ୍ଷୀ ପାଇଁ ଯାଉଥିବା ବେଳେ ପୂର୍ବଯୋଜନାମୁତାବକ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ କିନ୍ତୁ ଚିକିତ୍ସାର କିଛି ସମୟ ପରେ ପୂର୍ଣ୍ଣର ପ୍ରାଣବାୟୁ ଉଡିଯାଇଥିଲା ।
ରିପୋର୍ଟ:ମନୋଜ କୁମାର ପାତ୍ର