ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା, ଘଟଣା ସ୍ଥଳରୁ ଖଣ୍ଡା ଜବତ

0
130

ବ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ରେଗଡି ଛକ ନିକଟରେ ଆଜି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ଏବଂ ପରିବାର ପକ୍ଷରୁ ସୂଚନା ମିଳିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଶିପୁର ପଞ୍ଚାୟତର ରାମଶା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାହାକ ବୋଲି ଜାଣିବାକୁ ମିଳିଛି ।ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ପୂର୍ଣଚନ୍ଦ୍ର କୌଣସି ଏକ ମାମଲାର ସାକ୍ଷୀ ଦେବା ପାଇଁ ନିଜ ବାଇକ୍‌ରେ ସକାଳ ସାଢ଼େ ୯ଟା ସମୟରେ ବ୍ରହ୍ମପୁର ଆସୁଥିବା ବେଳେ ସଦରଥାନା ଅନ୍ତର୍ଗତ ଚଣ୍ଡିପଦର ଠାରୁ ରେଗିଡି ରାସ୍ତା ମଝିରେ ପୂର୍ବରୁ ଛପି ରହିଥିଲେ ପୂର୍ଣ୍ଣଙ୍କ ଶତ୍ରୁମାନେ ।ସେହି ସମୟରେ ଉକ୍ତ ରାସ୍ତା ଦେଇ ପୂର୍ଣ୍ଣ ଆସିବା କ୍ଷଣି ପ୍ରଥମେ ତାଙ୍କ ଗୋଡକୁ ଲକ୍ଷ କରି ଖଣ୍ଡାରେ ହାଣିଥିଲେ ।ଫଳରେ ପୂର୍ଣ୍ଣ ବାଇକରୁ ତଳେ ପଡିଯାଇଥିଲେ ଏବଂ ପ୍ରାଣ ବିକଳରେ ନିଜର ଜୀବନ ରକ୍ଷା କରିବା ପାଇଁ ପ୍ରାଣ ବିକଳରେ ଦୌଡ଼ି ଥିଲେ କିନ୍ତୁ ବିଲ ଭିତରେ ପଡିଯାଇଥିଲେ ।ଫଳରେ ଆକ୍ରମଣ କାରୀମାନେ ପୂର୍ଣ୍ଣଙ୍କୁ ଖଣ୍ଡାରେ ଆକ୍ରମଣ କରି ଚାଲିଥିଲେ ।ପରିଶେଷରେ ପୂର୍ଣ ଅଚେତ ଅବସ୍ଥାରେ ରକ୍ତ ଜୁରୁବୁରୁ ଅବସ୍ଥାରେ ବିଲ ମଧ୍ୟରେ ପଡିଥିବା ବେଳେ ଜଣେ ହତ୍ୟାକାରୀ ଘଟଣା ସ୍ଥଳରୁ ପୂର୍ଣ୍ଣଙ୍କ ପତ୍ନୀଙ୍କୁ ଫୋନ୍ କରି ତୁମ ସ୍ୱାମୀଙ୍କୁ ହାଣିଦେଲୁ ରାସ୍ତାରେ ପଡିଛି ତୁରନ୍ତ ମେଡିକାଲ ନିଅ ବୋଲି କହି ଫୋନ୍ କାଟି ଦେଇଥିଲେ ।ଏହି ଘଟଣା ପରେ ପୂର୍ଣ୍ଣଙ୍କୁ ଏମକେସିଜି ଅଣାଯାଇଥିଲା କିନ୍ତୁ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହି ଘଟଣା ପରେ ଘଟଣାସ୍ଥଳକୁ ସଦର ଏସ୍ଡିପିଓ, ସଦରଥାନା ପୁଲିସ,ପୁରୁଷୋତ୍ତମପୁର ଥାନା ପୋଲିସ,ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍,ଏବଂ ସାଇନ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଏକ ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ । ପୂର୍ଣ୍ଣଙ୍କ ନାମରେ ମଧ୍ୟ ପୂର୍ବରୁ କିଛି ମାମଲା ରହିଥିବା ନେଇ ଜାଣିବାକୁ ମିଳିଛି ।ଦୀର୍ଘ ଦିନର ଶତ୍ରୁତା ସହ ରାଜନୈତିକ ଶତ୍ରୁତାହିଁ ପୂର୍ଣ୍ଣଙ୍କ ହତ୍ୟାର ମୁଖ୍ୟ କାରଣ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିବା ବେଳେ ଏହି ହତ୍ୟା କାଣ୍ଡ ଘଟଣାରେ ପ୍ରାୟ ୬ଜଣ ହତ୍ୟାକାରୀ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here