ନବ ବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପୁଲିସ ତଦନ୍ତ ଜାରି

0
310

ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗାଁର ଏକ ଘରୁ ଜଣେ ନବ ବଧୂର ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ହେବା ଘଟଣା ଏବେ ଚର୍ଚ୍ଚ।ର ବିଷୟ ହୋଇଛି। ମୃତ ନବ ବଧୂଙ୍କ ନାଁ ମୀନା ବେହେରା(୨୨) ବୋଲି ଜଣାପଡିଛି। ଖବର ପାଇ ପାରଳାଖେମୁଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ସ୍ଥଳରୁ ପୁଲିସ୍ କିରୋସିନ୍ ବୋତଲ୍,ଦିଆସିଲି ଏବଂ ପୋଡା ସାମଗ୍ରୀ ଜବତ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି , ତଦନ୍ତ ପରେ ହିଁ ଏହା ପଛର କାରଣ ଜଣାପଡିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ,ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବୋମିକା ଗାଁର ସ୍ବର୍ଗତ ସୂର୍ଯ୍ୟ ନାରାୟଣ ବେହେରାଙ୍କ ଝିଅ ମୀନା ଜାଜପୁର ଗାଁର ସ୍ବର୍ଗତ ରଘୁନାଥ ବେହେରାଙ୍କ ପୁଅ ନାରାୟଣ ବେହେରାଙ୍କୁ ଗତ ଫେବୃୟାରୀ ୧୪ତାରିଖରେ ବିବାହ କରିଥିଲେ। ହେଲେ ଆଜି ହଠାତ୍ ଶାଶୁ ଘରର ବାରିପଟେ ଏକ କଠୋରୀରୁ ମୀନାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ହୋଇଛି। ରବିବାର ମଧ୍ୟାହ୍ନରେ ଘରେ କେହି ନଥିବାର ସୁଯୋଗ ନେଇ ମୀନା ନିଜ ଦେହରେ କିରାସିନ୍ ଢାଳି ଆତ୍ମହତ୍ୟା କରିଥିବା ତାଙ୍କ ସ୍ବାମୀ ରଘୁନାଥ କହିଛନ୍ତି। ତେବେ ଜଣେ ନବ ବିବାହିତା ମହିଳା ଏଭଳି କିରାସିନ୍ ଢାଳି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ କଳହ ହିଁ ଏହା ପଛର କାରଣ ହୋଇଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ତେବେ ମୀନାଙ୍କ ବାଘର ଲୋକେ ଏଯାଏଁ ପହଞ୍ଚିନଥିବା ବେଳେ ସେମାନେ ପହଞ୍ଚିବା ପରେ ଆଉ କିଛି ତଥ୍ୟ ମିଳିବା ସମ୍ଭାବନା ରହିଛି। ସେପଟେ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ। ସେହି ଆଧାରରେ ତଦନ୍ତ କରାଯିବ। ତଦନ୍ତ ପରେ ହିଁ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here