ଭିକାପଡ଼ା ଗ୍ରାମରେ ଜମିଜମା ବିବାଦକୁ ନେଇ ଭାଇ କୁ ଗୁଳି କଲା ସମ୍ପର୍କୀୟ ଭାଇ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର,ଅଭିଯୁକ୍ତ ଭାଇ ଫେରାର

0
292

ଖଲ୍ଲିକୋଟ -(ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଦିନ ଦ୍ଵିପ୍ରହରେ ଫୁଟିଲା ଗୁଳି । ପାରିବାରିକ କଳହ ଓ ଜମିଜମା ବିବାଦ କୁ ନେଇ ନିଜ ସମ୍ପର୍କିୟ ଭାଇର ଗୁଳି ମାଡ଼ରେ ବଡ଼ ଭାଇ ବିରେନ୍ଦ୍ର ଦଳେଇ ଗୁରୁତର । ବୀରେନ୍ଦ୍ର ଆଜି ଅପରାହ୍ନରେ ଘରେ ଶୋଇଥିବା ବେଳେ ଘର ଭିତରେ ପଶି ସମ୍ପର୍କୀୟ ଭାଇ ବାବୁ ଓରଫ ସୁରଜ ଦଳେଇ କଲା ଗୁଳି ମାଡ । ବୀରେନ୍ଦ୍ରଙ୍କ ଦେହରେ ୪ରାଉଣ୍ଡ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲ କୁ ଅଣାଯାଇଥିଲା । ତେବେ ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ବୀରେନ୍ଦ୍ର ଙ୍କ ଡାହାଣ ପଟ ଛାତି ରେ ଗୋଟିଏ,ହାତରେ ଗୋଟିଏ, ପାପୁଲି ରେ ଗୋଟିଏ ଓ ଅଣ୍ଟା ତଳକୁ ଗୋଟିଏ ଗୁଳି ବାଜିଥିବା ଜଣାପଡିଛି ।ତେବେ ହାତ ଓ ପାପୁଲିରେ ଗୁଳି ପଶି ଅନ୍ୟ ପଟେ ବାହାରି ଯାଇଥିବା ବେଳେ ଛାତି ଓ ଅଣ୍ଟା ତଳକୁ ବାଜିଥିବା ଗୁଳି ଭିତରେ ରହି ଯାଇଛି । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ,ଏସ ଆଇ ଅମ୍ବିକା ବେଣିଆ ସଦଳବଳେ ଭିକାପଡ଼ା ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ।ଚାରି ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଘଟଣା ସ୍ଥଳରୁ ପୋଲିସ ଦୁଇଟି ଖୋକା ଜବତ କରିଥିବା ବେଳେ ଆଉ ଦୁଇଟି ଖୋକା ର ପତ୍ତା ମିଳିନାହିଁ ।ଅଭିଯୁକ୍ତ ସୁରଜ ଦଳେଇ ର ବାପା ମାଆ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭିକାପଡା ଗ୍ରାମର ବିଜୟ ଦଳେଇ ଓ ଜୟ ଦଳେଇ ଦୁଇ ଭାଇ ।ଗାଁ ରେ ଥିବା ପୈତୃକ ସମ୍ପତ୍ତି ଭାଗ ବଣ୍ଟା କୁ ନେଇ ଦୀର୍ଘ ୨୫ ବର୍ଷ ହେଲା ଦୁଇ ଭାଇ ଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଛି ।ବହୁ ଥର ଗାଁ ଲୋକେ ବସି ଏହାର ସମାଧାନ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଛନ୍ତି ।ଗତ କିଛି ଦିନ ତଳେ ବଡଭାଇ ବିଜୟ ଦଳେଇ ସାନଭାଇ ଜୟ ଦଳେଇ ର ଗୋଡ଼ ରେ ପଥର ଛେଚି ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।ସେହି ରାଗରେ ଆଜି ସାନଭାଇ ଜୟ ଦଳେଇ ଙ୍କ ପୁଅ ବାବୁ ଓରଫ ସୁରଜ ଦଳେଇ ବଡଭାଇ ବିଜୟ ଦଳେଇ ଙ୍କ ପୁଅ ବୀରେନ୍ଦ୍ର ଦଳେଇ ଘରେ ଶୋଇଥିବା ବେଳେ ଘର ଭିତରେ ପଶି ଅତି ନିକଟରୁ ଚାରି ରାଉଣ୍ଡ ଗୁଳି କରିଥିଲେ ।ଗୁରୁତର ଅବସ୍ଥାରେ ବୀରେନ୍ଦ୍ର ଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇ ନ ଥିବା ଜଣାପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here