ହ୍ୟାଣ୍ଡବଲ୍ ସମର କପ୍ ଉଦଘାଟିତ

0
281

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ଦ୍ୱାରା ଆୟୋଜିତ ହ୍ୟାଣ୍ଡବଲ ସମର କପ ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ବିବେକ୍ ରେଡ୍ଡୀ ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀତାକୁ ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ଗୋଳାବନ୍ଧ, ଗୋପାଳପୁର, ବ୍ରହ୍ମପୁର, ଗଞ୍ଜାମ, ଗୋଳନ୍ଥରା ଓ ସମର କ୍ୟାମ୍ପ ଟିମ ଏହିଭଳି ମୋଟ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ କରୋନା ଯୋଗୁଁ ଖେଳ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ସହ ପିଲାଙ୍କୁ ଖେଳିବା ପାଇଁ ଓ ଆୟୋଜକଙ୍କୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ସୁଯୋଗ ମିଳିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କ୍ରୀଡାର ପ୍ରସାର ଓ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବାକୁ ଏକାଧିକ ପଡ଼ିଆରେ ବିଭିନ୍ନ ପ୍ରକାରର ଖେଳକୁ ନେଇ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ଆୟୋଜିତ ଏହି ସମର କପ ଜରିଆରେ ଶିବିରାର୍ଥୀଙ୍କୁ ଖେଳ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ମିଳିବ। ଏହି କପ ୩ ସପ୍ତାହ ଧରି ଚାଲିବାକୁ ଥିବାବେଳେ କେବଳ ରବିବାର ମ୍ୟାଚ ହେବ। ଜୁନ ୧୨ ତାରିଖ ରବିବାର ଦିନ ସନ୍ଧ୍ୟାରେ ସମର କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ କୁମାର ପାଢୀ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗୀତାକୁ ଜାତୀୟ କୋଚ ପ୍ରଶାନ୍ତ କୁମାର ରଥ, ଅନ୍ତର୍ଜାତୀୟ ଖେଳାଳୀ ସନ୍ଦୀପ ପାତ୍ର ଏବଂ କ୍ରୀଡା ଶିକ୍ଷକ ତଥା ଜାତୀୟ ରେଫେରୀ ଏ ତେଜଶ୍ବି, ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିବା ସହ ଶିବିରରେ ପ୍ରଶିକ୍ଷଣ ଦେବେ। ଉପସ୍ଥିତ ଥିବା ୬୦ଜଣ ଖେଳାଳିଙ୍କ ମଧ୍ୟରୁ ୧୪ଜଣ ଅରଫାନ ଖେଳାଳୀ ଥିବାବେଳେ ସେମାନଙ୍କୁ ସମାଜସେବୀ ପ୍ରିୟବ୍ରତ ପାଣିଗ୍ରାହୀ ଓ ମିତେନ ଭୂୟାଁ ବିଭିନ୍ନ ପ୍ରକାର ଖେଳ ସରଞ୍ଜାମ ଓ ଉପକରଣ ପ୍ରଦାନ କରିଥିଲେ। ଆଜିର ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁଳ୍କା, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ଉପଦେଷ୍ଟା ପ୍ରକାଶ ପଣ୍ଡା, କୋଷାଧ୍ୟକ୍ଷ ଡ଼ଃ ମନୋଜ ପାତ୍ର, ଡ଼ଃ ସରୋଜ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here