ନିର୍ଭିକ ଓଡ଼ିଆ: ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି

0
263

ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦ୍ଵିତୀୟ ବାର ପ୍ରଦେଶ ଗଠନ ପାଇଁ ଲଣ୍ଡନ ଗୋଲଟେବୁଲ ବୈଠକ ଯାଇ ଦାବି ଉପସ୍ଥାପନ କରିସାରିବା ପରେ, ପ୍ଲାନେରୀ କମିଟି ଏକ ତିନିଜଣିଆ କମିଟି କୁ ଓଡ଼ିଶା ସୀମା ନିର୍ଦ୍ଧାରଣ ପାଇଁ ସ୍ଥିର କଲେ। ଏଥିରେ ଓ ଡୋନେଲ , ଫୁକନ ଏବଂ ମେହେଟା ଙ୍କୁ ନିରୀକ୍ଷଣ କରିବାକୁ ସ୍ଥିର କରାଗଲା। ଦକ୍ଷିଣ ଓଡ଼ିଶାର ପ୍ରାୟ ସମସ୍ତ କାର୍ଯ୍ୟଭାର ମହାରାଜା ମୁଣ୍ଡେଇ ଥିଲେ , ଏହା ପରେ ଉତ୍ତର ଓଡ଼ିଶା ଓ ମେଦିନୀପୁର କଥା ବିଚାର କୁ ଆସିଲା, ସେତେବେଳେ ଓଡ଼ିଆ ଙ୍କୁ ବଙ୍ଗୀୟ ମାନେ ଏକ ପ୍ରକାର ହୀନ ଦୃଷ୍ଟିରେ ଦେଖୁଥିଲେ। ଓଡ଼ିଆ ଙ୍କ କଥା କୁ ସେଠାରେ ଏକ ପ୍ରକାର କ୍ଷୀଣ କରି ଦିଆଯାଇଥିଲା। ଏମିତି କି ଓଡ଼ିଆ ପୁସ୍ତକ ଆଦି ପ୍ରଚଳନ ରେ ବି ବାଧା ଥିବା ଯୋଗୁଁ ସେଠାକାର ଓଡିଆ ମାନେ ବଳରାମ ଦାସ , ଜଗନ୍ନାଥ ଦାସ ଙ୍କ ପୁରାଣ କୁ ବଙ୍ଗୀୟ ଭାଷାନୁବାଦ ରେ ପଢିବାକୁ ବାଧ୍ୟ ହେଉଥିଲେ।

କୌଣସି ବଙ୍ଗ ଅଭିଧାନରେ ଓଡ଼ିଆମାନଙ୍କୁ କୁଲି ଶ୍ରେଣୀୟ ବୋଲି ମଧ୍ୟ ଲେଖା ଯାଇଥିଲା । ଏଣୁ ସେଠାରେ ବାସ କରୁଥିବା ଅଧିକାଂଶ ଓଡ଼ିଆ ସେମାନକ ପ୍ରତିଷ୍ଠା ଲାଭ କରିବା ପାଇଁ ସେମାନଙ୍କର ସଜ୍ଞା ପରିବର୍ତ୍ତନ କରିବାକୁ ଏକ ପ୍ରକାର ବାଧ୍ୟ ହେଉଥିଲେ । ଉଦାହରଣ ସ୍ଵରୂପ ସେଠାର ମହାନ୍ତି ମାନେ ନିଜକୁ ମାଇତି ବୋଲି କହୁଥିଲେ । ଓଡ଼ିଆ ଜାଗରଣ ର କଥା ଉଠିଲେ ତାକୁ ହତ୍ୟା କରିବାକୁ ବି ପଛାଉନଥିଲେ ବଙ୍ଗବାସୀ ମାନେ। ଏହି ଭଳି ସ୍ଥିତି କଥା ଜାଣି ସୁଦ୍ଧା ମହାରାଜା ବାହାରିଲେ ମେଦିନିପୁର ସଭାକୁ। ସେ ଆଗରୁ ସେଇ ଦୁଇ ପଦ କଥା ଜାଣିଥିଲେ ଯେବେ କୁହାଯାଇଥିଲା ଉଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନଏ ବୋଲି। କିନ୍ତୁ ମହାରାଜା ତ ଗୋଟା ପଣେ ଓଡ଼ିଆ ପୁରୁଷ। ଏକଥା କୁ ତାଂକର ତିଳେ ମାତ୍ର ଭ୍ରୁକ୍ଷେପ ନଥାଏ

ସେଠାରେ କିଛି ଦୁର୍ବୃତ୍ତ ଏଭଳି ପଣ କରିଥିଲେ ଯେ ଯଦି ମେଦିନିପୁର ଅଞ୍ଚଳ ଓଡି଼ଶାକୁ ଯାଏ , ସେମାନେ ନିଜକୁ ନିଆଁ ରେ ଜାଳିଦେବେ । ମହାରାଜା ଙ୍କ ର ବ୍ୟକ୍ତିଗତ ରେଳ ବାହାରିଲା ମେଦିନିପୁର କୁ। ମହାରାଜା ଙ୍କ ସହ ଯାଇଥିଲେ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ , ପଣ୍ଡିତ ଯୁଗଲକିଶୋର ପାଣିଗ୍ରାହୀ ଓ ତାଙ୍କ ଟିମ। ମହାରାଜା ସୁନାମ ଦେଶବ୍ୟାପୀ ଥାଏ।ଯେଉଁ ବଙ୍ଗଳାରେ ମହାରାଜା ଅବସ୍ଥାନ କଲେ , ସେଠାକୁ ସେ ଦିନ ଜଣେ ଯୁବକ ଗୋଟିଏ ସାଇକେଲରେ ଆସିଲା । ସେଠାକାର ଲୋକଙ୍କ ରୂଢ ଓ ଦୁର୍ଦଷ ବ୍ୟବହାର ଦେଖି ମହାରାଜା ଙ୍କ ଟିମ ପୂର୍ବରୁ ଯତ୍ନବାନ ଥିଲେ , ସେ ଲୋକ କୁ ଦେଖି ରାଜଗୁରୁ ଗୋଟିଏ ବିପଦର ଆଶଙ୍କା ବାରିଲେ। ତେଣୁ ମହାରାଜାଙ୍କୁ ସୁରକ୍ଷିତ ଘରେ ରହିବାକୁ ବ୍ୟବସ୍ଥା କରାଇଲେ ତାଙ୍କରି ଟିମ।ଯେଉଁ ଯୁବକ ସାଇକେଲରେ ବଙ୍ଗଳା ଭିତରକୁ ଆସିଲା ତା ବାଟ ଅଟକାଇ ରାଜଗୁରୁ ଭେଟିଲେ । ପଚାରିଲେ ତୁମେ କିଏ ? କ’ଣ ଦରକାର ? ସେ କିଛି ନ କହି ଗୋଟିଏ ଲଫାଫା ରାଜଗୁରୁ ଙ୍କ ହାତରେ ବଢ଼ାଇଦେଲା। ଏବଂ ଶୀଘ୍ର ସାଇକେଲରେ ବସି ରୁଦ୍ଧ କଣ୍ଠରେ କହିଲା— ‘ ତୋମାର ରାଜାକେ ଦାଓ ’ ଏହା କହି ସେ ଚଞ୍ଚଳ ସେଠାରୁ ଚାଲିଗଲା ।

ରାଜଗୁରୁ ସେ ଲଫାପା ଆଣି ମହାରାଜା ଙ୍କ ଟେବୁଲରେ ଥୋଇଦେଲେ । ସେତେବେଳେ ମହାରଜା ତାଙ୍କର ମିଟିଙ୍ଗରୁ ଫେରି ନ ଥାନ୍ତି । ପ୍ରାୟ ବାରଟାବେଳେ ସେ ଯେତେବେଳେ ବଙ୍ଗଳାକୁ ଫେରି ଆସିଲେ , ଟେବୁଲରୁ ଲଫାପାପା ଟି ଖୋଲି ପ୍ରଥମେ ଉଚ୍ଚହାସ୍ୟ କଲେ । ଡାକିଲେ , ପାଣିଗ୍ରାହୀ ! ଆସ । ସେ ମହାରାଜାଙ୍କ ବୈଠକଖାନାକୁ ଯିବାକ୍ଷଣି ମହାରଜା ହସି ହସି ତାଙ୍କ ହସ୍ତରେ ଲଫାପା ଦେଇ କହିଲେ , ଏଇଟି ପଢ଼ି ସମସ୍ତଙ୍କୁ ଶୁଣାଇଦିଅ । ପାଣିଗ୍ରାହୀ ଆମେ ଥିବା କୋଠରୀକୁ ଆସି ସେ ପତ୍ରଟି ପଢ଼ିଲେ । ସେଥିରେ ଲେଖାଥିଲା —

Know ye O Ure Raja

This is called Midnapur !
How do ye dare to harm us ?
Don’t ye know that pady’s fate ?
Who has got his got is grave here?
ଏ ଚଠି ଖଣ୍ଡିକ ଲେଖା ହୋଇଥିଲା ଗୋଟିଏ ନାଲି କାଗଜରେ ଆଉ ମଣିଷ ରକ୍ତରେ । ମହାରାଜା ଙ୍କ ଟିମ ଟିକିଏ ଭୀତ ହୋଇ ପଡ଼ିଥିଲେ । କାରଣ ସେଠାର ଲୋକଙ୍କ ଦୁଷ୍ଟାମି ଓ ମାରାତ୍ମକ ଚିନ୍ତାଧାରା ବଙ୍ଗଭଙ୍ଗ ଆନ୍ଦୋଳନ ସମୟରୁ ଯଥେଷ୍ଟ ରୂପେ ପ୍ରମାଣିତ ହୋଇସାରିଥିଲା । ସେ ଜିଲ୍ଲାର କଲେକ୍ଟର ପେଡ଼ ସାହେବଙ୍କୁ ସେମାନେ ଓଡ଼ିଆ ଙ୍କ ସପକ୍ଷବାଦୀ କାରଣରୁ ହତ୍ୟା କରିଥିଲେ ; ସେ କଥା ଏ ପରେ ସୁଚାଇ ଦେଇ ତାଙ୍କପରି ହତ୍ୟା କାର୍ଯ୍ୟ ଏ ଥର ମଧ୍ୟ କରାଯିବ ବୋଲି ଇଙ୍ଗିତ କରିଥିଲେ। ମହାରାଜା ଙ୍କ ଦଳ ପରାମର୍ଶ କରି ମହାରାଜାଙ୍କୁ ଜଣାଇବାକୁ ସ୍ଥିର କଲେ ଯେ , ସେଦିନ ସନ୍ଧ୍ୟା ଗାଡ଼ିରେ ଯେପରି ସଭା ସ୍ଥଗିତ କରି ଦେଇ କିପରି ଖଡ଼ଗପୁର ସଭା ଅଭିମୁଖେ ଚାଲିଯିବେ ।ଏହି ପ୍ରସ୍ତାବଟି ମହାରାଜାଙ୍କୁ ଜଣାଇବା ଆଗରୁ ସେହି କୋଠରୀକୁ ସ୍ୱୟଂ ମହାରାଜା ଆସିଗଲେ , ଏ କଥା ଶୁଣି କହିଲେ ତୁମେମାନେ କଣ ଏହି ନୀଳବର୍ଣ୍ଣ ଶୃଗାଳମାନଙ୍କ ରଡ଼ିରେ ଡରି ଯାଉଛ ? ଅମେ ଯଦି ଏ ପ୍ରକାର କଥାଦେଖି ପଛଘୁଞ୍ଚା ଦେବା ତା ହେଲେ ଓଡ଼ିଆ ଜାତିର ସମ୍ମାନ ରହିବ କେଉଁଠି ? ଆମର କାମ ଏଠାରେ ସରି ନଥିବାରୁ କାଲି ପର୍ଯ୍ୟନ୍ତ ନିଶ୍ଚିତ ରହିବାକୁ ପଡ଼ିବ । ଏଠାରେ ଓଡ଼ିଆମାନଙ୍କୁ ଜାଗ୍ରତ କରେଇବାକୁ ହେବ । ତେଣୁ ସେମାନଙ୍କୁ ପୁର୍ବ ଗୌରବ ସ୍ମରଣ କରାଇ ପାରିଲେ ଆମର ଆସିବା କର୍ତ୍ତବ୍ୟ ପୂର୍ଣ୍ଣ ହେବ । ସମୟ ଆସିବ ଦିନେ ଓଡ଼ିଶା ସ୍ୱତନ୍ତ୍ର ହେବ ଆଉ ଏ ବଙ୍ଗବାସୀ ଏଥିପାଇଁ ଅନୁତାପ କରିବେ । ଏହା କହି ମହାରଜା ତାଙ୍କ କକ୍ଷ କୁ ଚାଲିଗଲେ।

ଏହା ପର ଦିନ ସଭା ସୁରୁଖୁରୁରେ ଅସଂଖ୍ୟ ଓଡ଼ିଆ ଙ୍କ ନିକଟରେ ସମାପନ ହେଲା। ସେ ଯାହା ହେଉ ଆଜି ସେହି ମହାପୁରୁଷ ଙ୍କ ଜୟନ୍ତୀ, ଯେ ୧୮୯୨ ଅପ୍ରେଲ ୨୬ ତାରିଖ ରେ ପାରଳାଖେମୁଣ୍ଡି ରେ ଜନ୍ମିଥିଲେ। ଜୀବନ ର ସମସ୍ତ ଆୟ ସେ ଜାତି ଉଦେଶ୍ୟ ରେ ଉତ୍ସର୍ଗ କରିଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ , ଉଚ୍ଚନ୍ୟାୟାଳୟ , କଟକ ଧାନଗବେଷଣା କେନ୍ଦ୍ର , ଏସ ସିବି ମେଡ଼ିକାଲ କଲେଜ ଠାରୁ ଆରମ୍ଭ କରି ପାରଳା- ଗୁଣୁପୁର ରେଳପଥ ଭଳି ଅନେକ ଜନହିତ କାର୍ଯ୍ୟ କୋଟି ଓଡ଼ିଆଙ୍କ ଆଗରେ ଚିରସ୍ମରଣୀୟ।

ବିଷ୍ଣୁମୋହନ ଅଧିକାରୀ, ପାରଳାଖେମୁଣ୍ଡି

LEAVE A REPLY

Please enter your comment!
Please enter your name here