ନରେନ୍ଦ୍ରପୁର କଳା ବିକାଶକେନ୍ଦ୍ର ସଭାପତିଙ୍କ ପରଲୋକ

0
340

ବ୍ରହ୍ମପୁର: ବିଶ୍ବ ପ୍ରସିଦ୍ଧ ଲୋକକଳା କେନ୍ଦ୍ର ନରେନ୍ଦ୍ରପୁର କଳା ବିକାଶ କେନ୍ଦ୍ରର ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସଭାପତି ତଥା ପଦ୍ମଶ୍ରୀ ଭଗବାନ ସାହୁଙ୍କ ସାନ ଭାଇ, ବିଶିଷ୍ଟ ସମାଜସେବୀ ପର୍ଶୁରାମ ସାହୁଙ୍କ ଆଜି ନିଜ ଗ୍ରାମ ବଡ଼କୁଶସ୍ଥଳୀଠାରେ 96 ବର୍ଷ ବୟସରେ ପରଲୋକ ହୋଇଯାଇଛି। ପ୍ରକାଶଥାଉକି, ଶ୍ରୀ ସାହୁ ନରେନ୍ଦ୍ରପୁର ଶ୍ରୀକୃଷ୍ଣ ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଭାବେ କିଛି ବର୍ଷ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଜଣେ ପ୍ରମୁଖ ଶିକ୍ଷାବିତ୍‌, ସମବାୟବିତ୍‌ ଏବଂ ବରିଷ୍ଠ ନାଗିକଭାବେ ସମଗ୍ର ଗଞ୍ଜାମ ଜିଲ୍ଳାରେ ସେ ଥିଲେ ବେଶ ସୁପରିଚିତ। କଲେଜ ପଢ଼ୁଥିବା ସମୟରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ପାଠପଢ଼ାରେ ଡୋରି ବାନ୍ଧି ସମାଜସେବାରେ ନିଜକୁ ନିୟୋଜିତ କରିବା ସହ 1961 ମସିହାରେ ନରେନ୍ଦ୍ରପୁର ହାଇସ୍କୁଲ ପ୍ରତିଷ୍ଠା ଏବଂ ଏହାର ସମ୍ପାଦକ ଦାୟିତ୍ବ ଦୀର୍ଘବର୍ଷ ଧରି ତୁଲାଇ ଆସିଥିଲେ। ଜଣେ କଳାପ୍ରେମୀ ବ୍ୟକ୍ତିଭାବେ ନିଜ ଗ୍ରାମ ବଡ଼କୁଶସ୍ଥଳୀରେ ଅନେକ ନାଟକରେ ଅଭିନୟ କରିବା ସହ ବଡ଼ ଭାଇ ପଦ୍ମଶ୍ରୀ ଭଗବାନ ସାହୁଙ୍କ ସହ କଳା ବିକାଶକେନ୍ଦ୍ରର କଳାକାର ଭାବେ ଆଫ୍ରିକୀୟ ଦେଶ, ଉଗାଣ୍ଡା, କେନିଆ, ତାଞ୍ଜାନିୟା, ସୋମାଲିୟା, ଇଥିଓପିଆ ଆଦି ଦେଶ ଭ୍ରମଣ କରିଥିଲେ । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତି ହୋଇ ଆଜି ପରଲୋକ ଗମନ କରିଛନ୍ତି। ତାଙ୍କ ନିକଟରେ ଜ୍ୟେଷ୍ଠପୁତ୍ର ତଥା ବିଶିଷ୍ଟ ବ୍ୟବସାୟୀ ଚକ୍ରପାଣୀ ସାହୁ, କନିଷ୍ଠପୁତ୍ର ତଥା ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କମ୍ବୁପାଣି ସାହୁ, ଶାଳକ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୁୁତୁରା କିଶୋରକୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପରିବାରବର୍ଗ ଉପସ୍ଥିତ ଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପୂର୍ବକ ଗ୍ରାମ୍ୟ ଶ୍ମଶାନରେ ଶ୍ରୀ ସାହୁଙ୍କ ଅନ୍ତିମ ସଂସ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here