ୟୁନିୟନ୍ ବ୍ୟାଙ୍କ୍ ଗୋବରା ଶାଖାରେ କର୍ମଚାରୀ ମରୁଡ଼ି; ସେବା ନପାଇ ଗ୍ରାହକ ଅସନ୍ତୋଷ

0
249

ବେଲଗୁଣ୍ଠା: ଗ୍ରାମାଞ୍ଚଳ ଲୋକଙ୍କୁ ବ୍ୟାଙ୍କ୍ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ମାଳ ମାଳ ବ୍ୟାଙ୍କ୍ ଖୋଲାଯାଇଥିଲେ ମଧ୍ୟ ଏହି ବ୍ୟାଙ୍କ୍ ଗୁଡି଼କ ଲୋକଙ୍କୁ ପ୍ରକୃତ ସେବା ଯୋଗାଇପାରୁଛି କି ନାହିଁଁ ତାହା ଦେଖିବାକୁ କୌଣସି ବ୍ୟବସ୍ଥା ନାହିଁଁ I ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ରେ ଥିବା ୟୁନିୟନ୍ ବ୍ୟାଙ୍କ୍ ବେଲଗୁଣ୍ଠା ଶାଖାରେ ପୂର୍ବରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଏହାର ଗୋବରା ଶାଖାରେ ମଧ୍ୟ ଅବ୍ୟବସ୍ଥା ଏବେ ନଜରକୁ ଆସିଛି I ସୂଚନା ପ୍ରକାରେ ୟୁନିୟନ୍ ବ୍ୟାଙ୍କ୍ ର ଗୋବରା ଶାଖାରେ ଗତ ଅଗଷ୍ଟ ମାସରୁ ଦେଖାଦେଇଛି କର୍ମଚାରୀ ମରୁଡ଼ି I ମାତ୍ର ଶତକଡ଼ା 20 ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ ଚାଲୁଥିବାରୁ ଗ୍ରାହକ ନାହିଁଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଗତ ଦଶ ଦିନ ହେବ ବ୍ୟାଙ୍କ କାର୍ଯ୍ୟ ମାତ୍ର ଦୁଇଜଣ କର୍ମଚାରୀଙ୍କୁ ନେଇ ଚାଲିଛି I ପ୍ରତିଦିନ ଶହ ଶହ ଗ୍ରାହକ ଆସି କୌଣସି ପ୍ରକାର ବ୍ୟାଙ୍କ ସେବା ନପାଇ ଅସନ୍ତୋଷ ପ୍ରକାଶ କରି ନିରାଶରେ ଫେରୁଛନ୍ତି I କହିବାକୁ ଗଲେ ବ୍ୟାଙ୍କ୍ ରେ ଗ୍ରାହକ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି I ଏନେଇ ଶାଖା ପରିଚାଳକ ସଞ୍ଜିବ୍ କୁମାର ରାୟଙ୍କ ପ୍ରତିକ୍ରିୟା ନେବାରେ ବ୍ୟାଙ୍କ ଅବ୍ୟବସ୍ଥା ନେଇ ସେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସଫେଇ ଦେଇଛନ୍ତି I କେବଳ ଏତିକି ନୁହେଁ, ବିଡମ୍ବନାର ବିଷୟ ହେଉଛି ଯେ ଦୀର୍ଘ ଆଠ ମାସ ହେବ ବ୍ୟାଙ୍କ ରେ ବ୍ୟାଙ୍କ ପାସ୍ ବୁକ୍ ମଧ୍ୟ ପ୍ରିଣ୍ଟ୍ ହୋଇପାରୁନି I ଆର୍ଥିକ ନେଣଦେଣ ତ ଦୂରର କଥା ବହୁ ସମୟରେ ବ୍ୟାଙ୍କରେ ଟଙ୍କା ଜମା ଫର୍ମ,ଟଙ୍କା ଉଠାଣ ଫର୍ମ ଭଳି ଦୈନନ୍ଦିନ ଗ୍ରାହକ ବ୍ୟବହାର ଉପଯୋଗୀ କାଗଜ ପତ୍ର ମଧ୍ୟ ଅଭାବ ରହୁଛି I ଶାଖା ପରିଚାଳକ ଶ୍ରୀ ରାୟ ଜଣେ ଅଣ ଓଡିଆ ହୋଇଥିବା ବେଳେ ବେଳେ ବେଳେ ସେ ବିରକ୍ତ ହୋଇ ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁ୍ଥିବା ମଧ୍ୟ କିଛି ଗ୍ରାହକ ଅଭିଯୋଗ କରିଛନ୍ତି I ବ୍ୟାଙ୍କରେ ଏହି ଅବ୍ୟବସ୍ଥା ଯୋଗୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଅଧିକ ପ୍ରଭାବିତ ହେଉଛନ୍ତି I ସେମାନେ ଠିକ୍ ସମୟରେ ଆର୍ଥିକ କାରବାର କରିପାରୁନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ବରିଷ୍ଠ ନାଗରିକ ମାନେ ନିଜର ପେନସନ୍ ପାଇଁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶରେ ଫେରୁଛନ୍ତି I ଜନ ସାଧାରଣଙ୍କ ଏହି ସମସ୍ୟା ସମାଧାନ ପାଇଁ ଶାଖା ପରିଚାଳକ ଅସହାୟତା ପ୍ରକାଶ କରିଥିବା ବେଳେ ଏହା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here