ଆୟକର ପୋର୍ଟାଲର ତ୍ରୁଟିର ତୁରନ୍ତ ସମାଧାନ ପାଇଁ ଇନଫୋସିସ୍‌କୁ ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଧେଶ

0
376

ନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ବ୍ୟବସ୍ଥା ବିକଶିତ କରିଥିବା ଆଇଟି କଂପାନି ଇନ୍‌ଫୋସିସ୍‌କୁ ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ସେ କହିଛନ୍ତି। ଯଥା ଶୀଘ୍ର କିଭଳି ସେବାରେ ଉନ୍ନତି ହୋଇପାରିବ ସେ ଦିଗରେ କାମ କରିବାକୁ କଂପାନିକୁ କହିଛନ୍ତି। ଏ ସଂକ୍ରାନ୍ତରେ ଇନ୍‌ଫୋସିସ୍ ଓ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ଟିକସଦାତାଙ୍କ ପାଇଁ ସେବାରେ ଉନ୍ନତି ଆଣିବା ପ୍ରତି ସରକାର ଅଧିକ ଧ୍ୟାନ ଦେଉଛନ୍ତି ଓ ଏଦିଗରେ ଉଦ୍ୟମକୁ ବହୁଗୁଣିତ କରାଯାଇଛି। ଟିକସ ପୋର୍ଟାଲ୍‌କୁ ବ୍ୟବହାରକାରୀମାନଙ୍କ ଲାଗି ଅଧିକ ସହଜ କରିବାକୁ ସେ ଇନ୍‌ଫୋସିସ୍‌କୁ କହିଛନ୍ତି।
ଚଳିତ ମାସ ୭ ତାରିଖରୁ ଉପଲବ୍ଧ ହୋଇଥିବା ଆୟକର ବିଭାଗର ନୂଆ ପୋର୍ଟାଲ୍‌ର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବହାରକାରୀଙ୍କ ଅନୁଭୂତିରେ ଉନ୍ନତି କିନ୍ତୁ ଏଥିରେ ଦେଖାଯାଇଥିବା ତ୍ରୁଟି ଯୋଗୁଁ ଟିକସଦାତା ଅସୁବିଧାର ସମ୍ମୁଖୀନ ହୋଇଥିଲେ |ଏହି ବୈଠକରେ ଇନ୍‌ଫୋସିସ୍‌ର ସିଇଓ ସଲିଲ୍ ପାରେଖ ଓ ସିଓଓ ପ୍ରବୀଣ ରାଓ କହିଛନ୍ତି ଯେ ଅନେକ ତ୍ରୁଟିର ସମାଧାନ ହୋଇସାରିଲାଣି। ଆଉ ଯେଉଁ କିଛି ସମସ୍ୟା ରହିଛି ତାହା ସପ୍ତାହକ ଭିତରେ ସମାଧାନ ହୋଇଯିବ। ଇ-ପ୍ରୋସିଡିଂ, ଫର୍ମ ୧୫ସିଏ/ ୧୫ ସିବି, ଟିଡିଏସ୍ ଷ୍ଟେଟମେଣ୍ଟ୍, ଡିଏସ୍‌ସି, ଅତୀତର ଆଇଟିଆର୍‌ଗୁଡ଼ିକୁ ଦେଖିବା ଆଦିରେ ଯେଉଁ ସମସ୍ୟା ରହିଛି ତାହାକୁ ନିର୍ଧାରିତ ସମୟ ଭିତରେ ସମାଧାନ କରାଯିବ।ଆୟକର ବିଭାଗର ନୂଆ ପୋର୍ଟାଲ୍ ସକ୍ରିୟ ହେବା ପରେ ସେଥିରେ ଥିବା ତ୍ରୁଟି ବିଷୟରେ ଟିକସଦାତାମାନେ ସୋସିଆଲ ମିଡିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବଂ ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିବାକୁ ମଧ୍ୟ ଭୁଲିନଥିଲେ। ସମସ୍ୟାଗୁଡ଼ିକ ବିଷୟ‌ରେ ଜଣାଇବା ଲାଗି ଅଂଶୀଦାରମାନଙ୍କୁ ଅର୍ଥମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅନ୍‌ଲାଇନ୍‌ରେ ପ୍ରସ୍ତାବ ମଧ୍ୟ ଆହ୍ବାନ କରାଯାଇଥିଲା। ପ୍ରାୟ ୭୦୦ ଇ-ମେଲ୍ ଜରିଆରେ ଅଂଶୀଦାରମାନେ ୨୦୦୦ରୁ ଅଧିକ ପ୍ରକାର ସମସ୍ୟା ବିଷୟ‌ରେ ଅବଗତ କରିଥିଲେ। ସେଥି ମଧ୍ୟରୁ ୯୦ଟି ସମସ୍ୟା ସ୍ବତନ୍ତ୍ର ଥିଲା।

LEAVE A REPLY

Please enter your comment!
Please enter your name here