ଡ଼ଃ ଗଙ୍ଗାଧର ତ୍ରିପାଠୀଙ୍କ ବିୟୋଗରେ ପଥରା ହରିହର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୋକସଭା ଅନୁଷ୍ଠିତ

0
340

ଖଲ୍ଲିକୋଟ (ନ୍ୟୁଜଏଜ୍ସଟ୍ରା) : ଅଫେରା ବାଟରେ ଗଙ୍ଗାଧର, ସମସ୍ତଙ୍କୁ ଏକା କରି ଇହଜଗତରୁ ଚାଲି ଯାଇଛନ୍ତି ଡଃ ଗଙ୍ଗାଧର ତ୍ରିପାଠୀ । ସ୍ବର୍ଗତ ଗଙ୍ଗାଧରଙ୍କ ଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମପଞ୍ଚାୟତର ଶ୍ରୀନଳିନାକ୍ଷପୁର ଗ୍ରାମରେ । ୧୯୪୯ ମସିହା ଜୁଲାଇ ମାସ ୧ ତାରିଖ ରେ ଶ୍ରୀନଳିନାକ୍ଷପୁର ଗ୍ରାମର ରାଜବୈଦ୍ୟ ଶ୍ରୀ ରଘୁନାଥ ତ୍ରିପାଠୀ ଓ ମାତା ସରସ୍ବତୀ ଦେବୀଙ୍କ କୋଳରେ ଜନ୍ମଲାଭ କରିଥିଲେ ଗଙ୍ଗାଧର । ଡଃ ଗଙ୍ଗାଧର ତ୍ରିପାଠୀ ଚଳିତ ମାସ ୧ ତାରିଖ ମଙ୍ଗଳବାର ଦିନ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ଖଲ୍ଲିକୋଟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଥିଲା । ସ୍ବର୍ଗତ ତ୍ରିପାଠୀ ନିଜର ଜୀବନ କାଳରେ ନିଜର ଜନ୍ମଭୂମି ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକରିବା ସହ ପଥରା ଗ୍ରାମରେ ଥିବା ହରିହର ଦେବ ଉଚ୍ଚ ବିଦ୍ୟାଳୟ, ଶ୍ରୀନଳୀନାକ୍ଷପୁର ଗ୍ରାମରେ ଥିବା ରଘୁନାଥ ବାଳିକା ସ୍ମୃତି ବିଦ୍ୟାପୀଠ ର ପ୍ରତିଷ୍ଠାତା ଥିଲେ । ପଥରା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଲ୍ଲାହାବାଦ ବ୍ୟାଙ୍କ ପ୍ରତିଷ୍ଠା, କାଳିଜାଇ ପାସେଞ୍ଜର ହଲ୍ଟ ର ପ୍ରତିଷ୍ଠା, କେଶପୁର ମହାବିଦ୍ୟାଳୟର ପ୍ରତିଷ୍ଠା, ଖଲ୍ଲିକୋଟ ରେଳ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ତାସହ ଓଡିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇବଜିବୀ ତଥା ବରିଷ୍ଠ ସମାଜସେବୀ ଥିଲେ ସ୍ବର୍ଗତ ଡ଼ଃ ଗଙ୍ଗାଧର ତ୍ରିପାଠୀ । ସ୍ବର୍ଗତ ତ୍ରିପାଠୀଙ୍କ ଆକସ୍ମିକ ବିୟୋଗରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ଗ୍ରାମରେ ଥିବା ହରିହର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରବିନ୍ଦ୍ର ମୋହନ ରଥ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପଣ୍ତା, ଚିଙ୍ଗୁଡ଼ିଖୋଲ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଓ ପଥରା ଗ୍ରାମପଞ୍ଚାୟତର ସରପଞ୍ଚ ବନମାଳି ବାଲା ଯୋଗଦେଇ ସ୍ବର୍ଗତ ତ୍ରିପାଠୀଙ୍କର ବହୁମୁଖି ପ୍ରତିଭା ଓ ତାଙ୍କର ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଆଲୋକପାତ କରିଥିଲେ । ପ୍ରଥମେ ସ୍ବର୍ଗତ ତ୍ରିପାଠୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ର ନିରବ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ବିଦ୍ୟାଳୟର ଶିକ୍ଷକ ମୁଳିଆ ସାହୁ, ଶ୍ରୀକର ପଣ୍ତା, ଦାଶରଥି ବାଲା, ମିନତି ବେହେରା, ମୁକେଶ କୁମାର ପଣ୍ତା, ବିଦ୍ୟାଳୟର ପିଅନ ରାଜେନ୍ଦ୍ର କୁମାର ବାରିକ, ଗଙ୍ଗାଧର ରଣା ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here