ବେଲଗୁଣ୍ଠା ବ୍ଳକ୍ ଉଢୁରା ସରପଞ୍ଚଙ୍କ ଦେହାନ୍ତ

0
370

ବେଲଗୁଣ୍ଠା:ଦେଶରେ କରୋନା ଦ୍ୱିତୀୟ ଲହରୀ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବା ବେଳେ ବହୁ କରୋନା ଯୋଦ୍ଧା ନିଜର ମୁଲ୍ୟବାନ ଜୀବନ ହରାଇଛନ୍ତି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଉଢୁରା ସରପଞ୍ଚ ଟୁକୁନା ସାମଲ (୪୬) ଅକାଳ ଦେହାନ୍ତ ହୋଇଥିବା ସୁଚନା ମିଳିଛି ।ମିଳିଥିବା ଖବର ପ୍ରକାରେ ୧୫ ଦିନ ତଳେ ଟୁକୁନାଙ୍କର ଅମ୍ଲଜାନ ସ୍ତର ହ୍ରାସ ପାଇବାରୁ ସେ ଭଞ୍ଜନଗର ସ୍ଥିତ କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ I ସେଠାରେ ପାଞ୍ଚ ଦିନ ରହିବା ପରେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ଫଳରେ ଅଞ୍ଚଳ ବାସିନ୍ଦା ଏ ନେଇ ଚିନ୍ତାରେ ଥିଲେ ।
ଗତ କାଲି ସେ ଟିକେ ସୁସ୍ଥ ଅନୁଭବ କରୁ୍ଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା Iକିନ୍ତୁ ଆଜି ସକାଳେ ଟୁକୁନାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଅବନ୍ନତି ଘଟି ସକାଳ ୮ଟା ସମୟରେ ଟୁକୁନା ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ଖବର ମିଳିଥିଲା I ଖବର ପାଇ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ଗଭୀର ଦୁଃଖ ପ୍ରକାଶ କରିବା ସହ
ତାଙ୍କ ପରିବାରବର୍ଗ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ପରିବାର ବର୍ଗଙ୍କୁ ଶେଷ ଦର୍ଶନ କରିବା ପାଇଁ ଏକ ସ୍ୱତନ୍ତ୍ର ଗାଡ଼ିରେ ପଠାଇବା ବ୍ୟବସ୍ଥା କରିଥିଲେ ।ଆଗଧାଡିର କରୋନା ଯୋଦ୍ଧା ଭାବେ ପ୍ରଶାସନ ତରଫରୁ ଟୁକୁନାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ କୋଭିଡ୍ ହସ୍ପିଟାଲ ନିକଟରେ ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇ,ବେଲଗୁଣ୍ଠା ବ୍ଳକ୍ ର ବହୁ ସରପଞ୍ଚ, ସମିତି ସଭ୍ୟ ବ୍ରହ୍ମପୁର ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ ।ଟୁକୁନା ଜଣେ କର୍ମଠ,ନିଷ୍ଠାପର,ଭଦ୍ର ବ୍ୟକ୍ତି ଥିବାରୁ ବେଲଗୁଣ୍ଠା ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ନିଜ ପଞ୍ଚାୟତରେ କୋଭିଡ୍ ମୁକାବିଲା ହେଉ କି କୁଆରେଣ୍ଟାଇନ୍ ସେଣ୍ଟର ସୁପରିଚାଳନାରେ ନିଷ୍ଠାର ସହିତ ନିଜର ଦାୟିତ୍ୱ ନୀର୍ବାହ କରିଥିଲେ ।ତାଙ୍କର ୮ ବର୍ଷର ଓ ୨ ବର୍ଷର ଦୁଇଟି କନ୍ୟା ସନ୍ତାନ ଅଛନ୍ତି ।ତାଙ୍କ ମୃତ୍ୟୁରେ ତହସିଲଦାର ସରୋଜ କୁମାର ବେହେରା, ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ଅନ୍ୟ ସଦସ୍ୟ,ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି କେ.ରବୀନ୍ଦ୍ର କୁମାର ପାତ୍ର,ବ୍ଳକ୍ ବିଜେଡି ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୁର୍ବତନ ସରପଞ୍ଚ ତଥା ବିଜେଡି ସମ୍ପାଦକ ରାମେଶ୍ୱର ପାତ୍ର,
କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।ପ୍ରକାଶ ଥାଉକି, ଟୁକୁନା ଙ୍କ କୋଭିଡ୍ ଲକ୍ଷଣ ଥିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୋଭିଡ୍ ପରୀକ୍ଷା କରାଯାଇନଥିଲା ।ମୃତ୍ୟୁ ପରେ ପ୍ରଶାସନ ତରଫରୁ କୋଭିଡ୍ ପରୀକ୍ଷା କରାଯାଇଥିବା ଜଣାପଡିଛି ।ଗତବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଧୁମୁଛାଇ ସରପଞ୍ଚ ମନୋଜ ପ୍ରଧାନଙ୍କ ମଧ୍ୟ କୋଭିଡ୍ ଜନିତ ମୃତ୍ୟୁ ଘଟିଥିଲା ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here