….ପ୍ରୀତି କୋଣାର୍କ….

0
410

ଥରେ ଆସି ପ୍ରିୟା ଦେଖିଯାଅ ତୁମେ
ଗଢିଛି ମୁଁ ଏଠି ପ୍ରୀତି କୋଣାର୍କ
ଜଗତ ଦେଖିଛି ତା ରୂପ ବୈଭବ
କରୁକାର୍ଯ୍ୟ ଭରା ରୂପ ଅପରୂପ ାା

ତୁମେ ହିଁ ଦେଖିନ ଏ ମନ୍ଦିର ଗାତ୍ରରେ
କଳା କିରତୀର କେତେ ସମ୍ଭାର
ଉଠୁଛି କିପରି ପ୍ରୀତିର ଜୁଆର
ଝରୁଅଛି ଦେଖ ମେଘୁ ମହ୍ଲାର ାା

ଚାଖିନ ବୁନ୍ଦାଏ ଝରୁଥିବା ପୟ
ଦେଇନ ଏ ଯାଏଁ କେବେ ହେଁ ଲୟ
ଥରେ ଆସି ଦେଖିଯାଅ
ଗଢିଛି କିପରି ପ୍ରୀତିର କୋଣାର୍କ
ତହିଁ ବହୁଛି ପ୍ରେମର ସୁଅ ାା

ତୁମେ ଚାଖିଅଛ ତୋଷାମଦୀ ସ୍ବାଦ
ଆଧୁନିକତାର ମିଠା ପରଶରେ
ମୋ ମନ୍ଦିରେ ଦେଖ କଳା ଓ ନୈପୁଣ୍ୟ
ଫୁଟିଛି ପିରତୀ କଅଁଳ ଛୁଆଁ ରେ
ତୁମେ ହିଁ ସେ ମନ୍ଦିରେ ଦେବୀ
ଥରେ ଆସି ଦେଖ କଳାର ପାଟବ
ଝଲସାଏ ତୁମ କମନୀୟ ଛବି ାା

ତୁମେ ଆସିଗଲେ ମନ୍ଦିର ବେଢା ରେ
ଜୀବନ୍ତ ହୋଇବେ ମୃଣ୍ମୟ ମୂର୍ତ୍ତୀ
ତୁମ ରୂପ ଗୁଣ ସଂଦର୍ଶନେ ମନ
ଉଲ୍ଲସିତ ହେବ ନିତି ପ୍ରତି ନିତି
ତୁମେ ସାଜି ବାର ଶହ ବଢେଇ
ମୋ ପ୍ରେମ ରୂପକ ଧର୍ମପଦର
ମୁଣ୍ଡକୁ ନ ଦିଅ ଗୋ ଗଡେଇ ାା

ସାଜି ବିଶୁ ମହାରଣା ମୁହିଁ
ପଥରକୁ ନିତି କରେ ବିଗଳିତ
ବ୍ୟଥାର ଆରତୀ ଦେଇ
ଗଢୁଛି ମୁଁ ନିତି ପ୍ରୀତି କୋଣାର୍କ
ସ୍ମୃତିର ନିହଣ,ମୁଗୁର ନେଇ
କେବଳ ତୁମରି ପାଇଁ,କେବଳ ତୁମରି ପାଇଁ ାା
@ତ୍ରିନାଥ ବେହେରା, ବଡକୋଦଣ୍ଡା, ଗଞ୍ଜାମ….

LEAVE A REPLY

Please enter your comment!
Please enter your name here