ସୁରାଟରେ ସ୍ୱାମୀର ମୃତ ଶରୀର ପାଇବା ପାଇଁ ଓଡ଼ିଆ ମହିଳା ହଟହଟା , ନୋଡାଲ ଅଫିସର ନିଯୁକ୍ତି ପାଇଁ ଦାବି

0
407

ବୁଗୁଡା (ନ୍ୟୁଜଏକ୍ସଟ୍ରା) ଗୁଜରାଟ ସୁରାଟ ମହାନଗର ରେ ପ୍ରାୟ ୧୦ ଲକ୍ଷ କୁଶଳୀ ଓଡ଼ିଆ ଶ୍ରମିକ କାମ କରି ଓଡ଼ିଶାର ଆର୍ଥିକ ସ୍ଥିତିକୁ ଉନ୍ନତି କରୁଥିବା ବେଳେ ସେଠାରେ ସେମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଓଡିଶା ସରକାର ନୋଡାଲ ଅଫିସର ନିଯୁକ୍ତି କରିବା ପାଇଁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ଦାବୀ କରିଛି। ଏପ୍ରିଲ ୩୦ ତାରିଖ ଘଟଣା। ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ତ୍ରିନାଥ ନାୟକଙ୍କ ପୁଅ ଭଗବାନ ନାୟକ ଦୀର୍ଘ ଦିନ ହେଲା ସୁରାଟରେ କାମକରି ଆସୁଥିଲେ। କିଛିଦିନ ତଳେ ସ୍ୱାସ୍ଥ୍ୟ ଖରାପ ଯୋଗୁ ସୁରାଟ ପାଣ୍ଡେସରା ଅଞ୍ଚଳର ପ୍ରିୟା ହସପିଟାଲରେ ୨୫ ହଜାର ଟଙ୍କା ଜମା ଦେଇ ଚିକିତ୍ସା ହେଉଥିଲେ। ହେଲେ ଏପ୍ରିଲ ୩୦ ତାରିଖ ସନ୍ଧ୍ୟା ୪ ଘଣ୍ଟା ୪୫ ମିନିଟରେ ଭଗବାନ ନାୟକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କଲେ। ଆଉ ୮୫ ହଜାର ଟଙ୍କା ଜମା ଦେଲେ ତୁମ ସ୍ଵାମୀଙ୍କ ଶବ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସ୍ୱର୍ଗତ ଭଗବାନଙ୍କ ପତ୍ନୀଙ୍କୁ କହିଥିଲେ। ତାଙ୍କ ପାଖରେ କିଛି ଟଙ୍କା ନଥିବା ବେଳେ ପରେଦେବି ବୋଲି କହିଲେ ମଧ୍ୟ ଶବ ହସ୍ତାନ୍ତର କରିନଥିଲେ। ବିଭିନ୍ନ ଯୁକ୍ତିତର୍କ ପରେ ରାତ୍ର ସାଢ଼େ ଗୋଟାଏ ବେଳେ ମେଡ଼ିକାଲ କର୍ମଚାରୀ ବୃନ୍ଦ ଭଗବାନଙ୍କ ଶବକୁ ନେଇ ରାସ୍ତା କଡରେ ରଖିଦେଇ କୌଣସି କାଗଜ ପତ୍ର ଦେଲେନାହିଁ। ଯାହା ଫଳରେ ଶବକୁ ଦାହ କରିବା ପାଇଁ ଶ୍ମଶାନରେ ଅନୁମତି ଦିଆଗଲା ନାହିଁ। ଅନ୍ୟ ଜଣେ ଓଡ଼ିଆ ବ୍ୟକ୍ତି ଏହି ଘଟଣା ନେଇ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କୁ ଜଣାଇବା ପଟେ ସେ ଅଫିସ ସମ୍ପାଦକ ଜୟରାମ ଦଳେଇ ଓ ଟ୍ରଷ୍ଟ ସଙ୍ଗଠକ ଅଜୟ କୁମାର ବିଶ୍ବାଳଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ପୋଲିସ ଓ ସାମ୍ବାଦିକ ମାନଙ୍କୁ ଡକାଇବା ପରେ ମେଡ଼ିକାଲ ଡାକ୍ତର କାଗଜ ପତ୍ର ଦେବାପରେ ଶବ ଦାହ ହୋଇଥିଲା। ସୁରତର ଫ୍ୟାକ୍ଟେରୀ ମାଲିକ ବୃନ୍ଦ କୁଶଳୀ ଓଡ଼ିଆ ଶ୍ରମିକ ମାନଙ୍କୁ ଫ୍ୟାକ୍ଟେରୀ ଆଇନ ଅନୁଯାୟୀ ଇପିଏଫ, ସ୍ୱାସ୍ଥ୍ୟ ବୀମା, ସ୍ଥାୟୀ ନିଯୁକ୍ତି ନଦେବା ସହ ଦିନ ମଜୁରିଆ ଭାବେ ଦରମା ଦେଉଛନ୍ତି। ସେହି ଦରମା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେବାକୁ ଦାବୀ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ କୁଶଳୀ ଓଡ଼ିଆ ଶ୍ରମିକମାନେ ଶୋଷଣର ଶିକାର ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବା ଦୁର୍ଘଟଣା ଘଟି ପ୍ରାଣ ହରାଇଲେ ଫ୍ୟାକ୍ଟେରୀ ମାଲିକ ଆଦୌ ସାହାଯ୍ୟ କରୁ ନାହାଁନ୍ତି। ସୁରାଟରେ ପ୍ରାୟ ୧୦ ଲକ୍ଷ ଓଡ଼ିଆଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ସୁରାଟ ସହରରେ ନୋଡାଲ ଅଫିସର ନିଯୁକ୍ତି ଦେବାକୁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here